ବୌଦ୍ଧ: ବିକାଶର ଯୁଗରେ ମଧ୍ୟ ବୌଦ୍ଧ ଜିଲ୍ଲାର ବରପଦର ଗାଁର ଚିତ୍ର ଆଜି ବି ହୃଦୟ ବିଦାରକ। ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ନଥିବାରୁ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ପରିବାର ଓ ଗ୍ରାମବାସୀ ଖଟିଆରେ ବୋହି ୨ କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରି ମୁଖ୍ୟ ସଡ଼କରେ ପହଞ୍ଚାଇଥିଲେ।
ଆହତ ବ୍ୟକ୍ତି ହେଲେ ଭଗବାନ କଁହର। ତାଙ୍କ ଗୋଡ଼ରେ ଗୁରୁତର ଫ୍ରାକ୍ଚର ହୋଇଥିବାରୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଫୋନ କରିବା ମଧ୍ୟ ସମ୍ଭବ ହୋଇନଥିଲା। ଏପରିକି ବରପଦରରୁ ଦମଡା ପର୍ଯ୍ୟନ୍ତ ମୋଟର ଚଳାଚଳ ଯୋଗ୍ୟ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁ ଭିତରକୁ ପହଞ୍ଚି ପାରିନଥାନ୍ତା।
ଶେଷରେ ପରିବାର ଓ ସ୍ଥାନୀୟ ଲୋକେ ଖଟିଆରେ ବୋହି ଦୁଇ କିଲୋମିଟର କାଦୁଅ ରାସ୍ତା ପାର କରି ମୁଖ୍ୟ ସଡ଼କରେ ପହଞ୍ଚାଇଥିଲେ। ସେଠାରୁ ଏକ ଭଡ଼ା ଗାଡ଼ିରେ ଭଗବାନ କଁହରଙ୍କୁ ବୌଦ୍ଧ ମେଡିକାଲକୁ ନିଆଯାଇଥିଲା।
ସବୁଠାରୁ ବେଶି ବେଦନାଦାୟକ କଥା ହେଉଛି, ପରିବାର ଅଭିଯୋଗ କରିଛି ଯେ ମାତ୍ର ଦୁଇ ଦିନ ପୂର୍ବରୁ ଭଗବାନଙ୍କ ପତ୍ନୀ ମଧ୍ୟ ସମୟରେ ହସ୍ପିଟାଲ ପହଞ୍ଚି ପାରିନଥିବାରୁ ପ୍ରାଣ ହରାଇଥିଲେ। ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳର ମୌଳିକ ସୁବିଧାର ଅଭାବକୁ ପଦାରେ ପକାଇଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ବରପଦର-ଦମଡା ପକ୍କା ରାସ୍ତା ଓ ନିର୍ଭରଯୋଗ୍ୟ ମୋବାଇଲ ନେଟୱର୍କ ପାଇଁ ସେମାନେ ବାରମ୍ବାର ପ୍ରଶାସନକୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ବର୍ଷା ଦିନରେ ଏହି ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ୁଥିବାରୁ ତୁରନ୍ତ ରାସ୍ତା ନିର୍ମାଣ ଓ ନେଟୱର୍କ ସମସ୍ୟାର ସମାଧାନ କରିବାକୁ ଦାବି ଜୋର ଧରିଛି।