ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଏକ ନିଆରା ବାଲୁକା କଳା। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୫ ଫୁଟ ଲମ୍ବା ବାଲୁକା କଳାକୃତି ସହ ୨,୫୦୦ ମାଟି ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କୁ ଅଭିନବ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ସନ୍ଧ୍ୟା ହେବା ସହ ପୁରୀ ସମୁଦ୍ର କୂଳରେ ହଜାର ହଜାର ଦୀପର ଆଲୋକରେ ଝଲମଲ କରିଥିଲା ଏହି ବିଶାଳ କଳାକୃତି। ବାଲୁକା ଶିଳ୍ପ ଓ ଦୀପାଳିର ସମନ୍ୱୟ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ ପର୍ଯ୍ୟଟକମାନେ ଏହାର ଫଟୋ ଓ ଭିଡିଓ ଧାରଣ କରିବାରେ ବ୍ୟସ୍ତ ରହିଥିଲେ।
ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ପୁରୀ ବେଳାଭୂମିକୁ କ୍ୟାନଭାସ କରି ଅନେକ ସଚେତନତାମୂଳକ ଓ ସ୍ମରଣୀୟ ବାଲୁକା କଳା ସୃଷ୍ଟି କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ଏହି ୨୫ ଫୁଟର ବାଲୁକା କଳା ଓ ୨,୫୦୦ ଦୀପର ଆଲୋକସଜ୍ଜା ପୁଣିଥରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ବାଲୁକା କଳା ପରମ୍ପରାକୁ ଉଜାଗର କରିଛି।