ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ନାମ ଓ ଚିହ୍ନ ପରିବର୍ତ୍ତନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ବିଜେପି ଏବଂ ଇସିଆଇଙ୍କ ଉପେର “ଦଳ ଚୋରି”ର ଅଭିଯୋଗ ଲଗାଇଛନ୍ତି ।
ରାହୁଲ ଗାନ୍ଧୀ “ଏକ୍ସ”ରେ ଏକ ପୋଷ୍ଟ କରି କହିଛନ୍ତି ଯେ ପ୍ରଥମେ ଶିବସେନା, ତା’ପରେ ଏନସିପି (NCP) ଏବଂ ବର୍ତ୍ତମାନ ତୃଣମୂଳ କଂଗ୍ରେସ ସହିତ ପ୍ରତ୍ୟେକ ଥର ସମାନ ଘଟଣାକ୍ରମ ଦେଖିବାକୁ ମିଳୁଛି । ବିଜେପି ଏବଂ ନିର୍ବାଚନ ଆୟୋଗ ମିଳିତ ଭାବେ ଗୋଟିଏ ଦଳକୁ ଭାଙ୍ଗି ଦିଅନ୍ତି ଏବଂ ତା’ପରେ ସେହି ଦଳର ନିର୍ବାଚନୀ ଚିହ୍ନକୁ ଛଡ଼ାଇ ନିଅନ୍ତି । ଯଦି ଏକ ସମ୍ପୂର୍ଣ୍ଣ ରାଜନୈତିକ ଦଳକୁ ହିଁ ହଡ଼ପ କରାଯାଇପାରେ, ତେବେ କୋଟି କୋଟି ଭାରତୀୟଙ୍କ ଭୋଟ୍କୁ ହଡ଼ପ କରିବା କୌଣସି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ ବୋଲି ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି ଯେ ଭୋଟ୍ ଚୋରି, ସରକାର ଚୋରି ଏବଂ ବର୍ତ୍ତମାନ ଦଳ ଚୋରି । ଏସବୁ ଆମ ଗଣତନ୍ତ୍ରର ଅବକ୍ଷୟର ପ୍ରତୀକ ପାଲଟିଛି । ଜନସାଧାରଣଙ୍କ ରାୟ ବା ଜନାଦେଶର ସୁରକ୍ଷା କରିବା ହେଉଛି ନିର୍ବାଚନ ଆୟୋଗର ସାମ୍ବିଧାନିକ ଦାୟିତ୍ୱ । କିନ୍ତୁ ଏହା ପରିବର୍ତ୍ତେ ଆୟୋଗ ସେହି ଶକ୍ତିଗୁଡ଼ିକୁ ସହାୟତା କରୁଛି ଯେଉଁମାନେ ଜନସାଧାରଣଙ୍କ ରାୟକୁ ଓଲଟାଇ ଦିଅନ୍ତି। ଏହି ଲଢ଼େଇ କେବଳ ମମତା ବାନାର୍ଜୀଙ୍କର ନୁହେଁ । ଏହା ପ୍ରତ୍ୟେକ ରାଜନୈତିକ ଦଳ ଏବଂ ପ୍ରତ୍ୟେକ ଭୋଟରଙ୍କ ଲଢ଼େଇ, ଯେଉଁମାନେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଚାହାଁନ୍ତି।
ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଟିଏମସି ଦୁଇ ଫାଳ ହୋଇଯିବା ପରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଅନେକ ବିଦ୍ରୋୟୀ ବିଧାୟକ ନିଜର ନୂତନ ବିରୋଧୀ ଦଳ ନେତା ଚୟନ କରିଥିଲେ । ଯାହାକୁ ପଶ୍ଚିମବଙ୍ଗ ବାଚସ୍ପତି ଗ୍ରହଣ କରିଥିଲେ । ଏହା ପରେ ଋତବ୍ରତଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଗୋଟିଏ ଦଳ ଦୁଇଟି ଭାଗ ଭାଗ ହୋଇଥିବା ଦର୍ଶାଇଥିଲେ । ଏହା ପରେ ଗତକାଲି ନିର୍ବାଚନ ଆୟୋଗ ଟିଏମସିର ଚିହ୍ନ ଓ ନାମ ଉପରେ କଟକଣା ଲଗାଇ ଶୁକ୍ରବାର ସକାଳ ୧୧ଟା ସୁଦ୍ଧା ମମତା ଗୋଷ୍ଠୀ ଏବଂ ଋତବ୍ରତ ଗୋଷ୍ଠୀକୁ ସେମାନଙ୍କର ନୂତନ ନାଁ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।