ଭୁବନେଶ୍ୱର: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ । ପ୍ରଧାନମନ୍ତ୍ରୀ ମୋଦୀ ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟିଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ସୁଶାସନ ପାଇଁ ଅନେକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି ଏବଂ ଅନ୍ତର୍ଭୁକ୍ତି ମୂଳକ ବିକାଶକୁ ଏକ ଅଭୂତପୂର୍ବ ଗତି ଓ ନୂତନ ଦିଗ ପ୍ରଦାନ କରିଛନ୍ତି । ସାଂସ୍କୃତିକ ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖି ଆଧୁନିକ ପ୍ରଗତିର ପଥରେ ଅଗ୍ରସର ହେବା ସହ ଆମର ନାଗରିକମାନେ ଐତିହ୍ୟ ଓ ବିକାଶର ଏକ ସୁନ୍ଦର ସମନ୍ୱୟକୁ ଅନୁଭବ କରୁଛନ୍ତି । ମୁଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି, ଯାହାଦ୍ୱାରା ଆପଣ ଜନସେବା ଓ ରାଷ୍ଟ୍ର ନିର୍ମାଣର ନିଜ ଅଭିଯାନକୁ ଆଗକୁ ବଢ଼ାଇ ପାରିବେ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡ଼ିଓ ବାର୍ତ୍ତାରେ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି। ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ ।
ସେହିପରି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।