ନୂଆଦିଲ୍ଲୀ: କର୍ମଚାରୀଙ୍କ ଦୀର୍ଘମିଆଦୀ ସଞ୍ଜୟକୁ ବାଧ୍ୟତାମୂଳକ ଅବଦାନକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଆଜି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଏଫ୍ଓ) ଅଧୀନରେ ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଅର୍ଥାତ ମାସିକ ୨୫ ହଜାର ଟଙ୍କା ପାଉଥିବା କର୍ମଚାରୀମାନେ ସଂଶୋଧିତ ପିଏଫ୍ ସହିତ ଇପିଏସ୍ ଯୋଜନାରେ ସାମିଲ ହେବେ । ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ । ଏହାଦ୍ୱାରା ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ବାଧ୍ୟତାମୂଳକ ଇପିଏଫ୍ଓ କଭରେଜ୍ ପରିସରଭୁକ୍ତ ହେବେ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣେବ ଏହି ସୂଚନା ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 'କର୍ମଚାରୀ ଭବିଷ୍ୟ ନିଧି ସଂଗଠନ' (EPFO) ଅଧୀନରେ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତି ପାଇଁ ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କା ରୁ ୨୫,୦୦୦ କୁ ବୃଦ୍ଧି କରିବା ସମ୍ବନ୍ଧୀୟ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ଫଳରେ ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ଇପିଏଫଓ ପରିସରଭୁକ୍ତ ହେବେ ବୋଲି ଆଶା କରାଯାଉଛି । ଯାହା କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବ।
୨୦୦୪ ରୁ ୨୦୧୪ ମଧ୍ୟରେ ଇପିଏଫ୍ଓ ବେତନ ସୀମାରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ସେପ୍ଟେମ୍ବର ୨୦୧୪ ରେ ଏହାକୁ ୬,୫୦୦ ଟଙ୍କାରୁ ୧୫,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ବେତନ ଓ ଆୟରେ କ୍ରମାଗତ ବୃଦ୍ଧି ଏବଂ ଆନୁଷ୍ଠାନିକ ନିଯୁକ୍ତିର ସ୍ଥିର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଯେଉଁ ନୂତନ କର୍ମଚାରୀମାନେ ମାସିକ ୧୫,୦୦୦ଟଙ୍କା ରୁ ଅଧିକ ବେତନ ପାଉଛନ୍ତି, ସେମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଇପିଏଫ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବେ ନାହିଁ । ଏହି ସଂଶୋଧିତ ଇପିଏଏଫ୍ଏଓ ଫଳରେ କର୍ମଚାରୀଙ୍କ ଏକ ବଡ଼ ବର୍ଗ ଅର୍ଥାତ୍ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ବେତନ ବର୍ଗରେ ଥିବା କର୍ମଚାରୀମାନେ ଆଇନଗତ ସାମାଜିକ ସୁରକ୍ଷା ପ୍ରକ୍ରିୟାରେ ସାମିଲ ହେବେ । ଏହି ଫଳରେ ଯୋଜନାର ନିୟମାବଳୀ ଅନୁଯାୟୀ ଭବିଷ୍ୟ ନିଧି ସଞ୍ଚୟ, 'କର୍ମଚାରୀ ପେନସନ୍ ଯୋଜନା' (EPS) ଅଧୀନରେ ପେନସନ୍ ସୁରକ୍ଷା ଏବଂ 'କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା' (EDLI) ଅଧୀନରେ ବୀମା ସୁରକ୍ଷା ସୁବିଧା ଉପଲବ୍ଧ ହେବ।
ଏହି ପ୍ରସ୍ତାବ ଉପରେ ବିଭିନ୍ନ ମନ୍ତ୍ରାଳୟ ଠାରୁ ପରାମର୍ଶ କରାଯାଇଥିଲା ଏବଂ ୧୬ ଜୁନ୍ ୨୦୨୬ ରେ ଅନୁଷ୍ଠିତ ବୈଠକରେ 'ବ୍ୟୟ ଅର୍ଥ କମିଟି' ଏହାକୁ ସୁପାରିଶ କରିଥିଲା। ଏଥିପାଇଁ ବର୍ତ୍ତମାନ ବଜେଟରେ ୧୦,୨୫୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଆନୁମାନିକ ବାର୍ଷିକ ସରକାରୀ ବ୍ୟୟ ପ୍ରାୟ ୧୧,୩୩୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ଏଥିପାଇଁ ଆନୁମାନିକ ବ୍ୟୟ ପ୍ରାୟ ୫୬, ୬୯୬ କୋଟି ଟଙ୍କା ହେବ।