ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପଞ୍ଚାୟତ ସହାୟକମାନଙ୍କୁ ଉପହାର ଦେଇଛନ୍ତି । ଉତ୍ତର ପ୍ରଦେଶ ସରକାର ପଞ୍ଚାୟତ ସହାୟକଙ୍କ ଦରମା ବୃଦ୍ଧି କରିଥିବାବେଳେ ସରପଞ୍ଚ ଏବଂ ସଚିବମାନଙ୍କ ଉପରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ମହିଳା ପଞ୍ଚାୟତ ସହାୟକଙ୍କ ପାଇଁ ସେବା ସୁରକ୍ଷା, ନଗଦହୀନ ଚିକିତ୍ସା ଏବଂ ପ୍ରସୂତି ଛୁଟିର ସୁବିଧା ମଧ୍ୟ ପ୍ରଦାନ କରାଯିବ ।
ଗତ କିଛି ଦିନ ହେବ ରାଜଧାନୀ ଲକ୍ଷ୍ନୌର ଇକୋ ଗାର୍ଡେନରେ ପଞ୍ଚାୟତ ସହାୟକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଆଜି ପଞ୍ଚାୟତିରାଜ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ତାଙ୍କର ପ୍ରମୁଖ ଦାବିଗୁଡ଼ିକୁ ମାନିନେଇଛନ୍ତି । ୟୁପି ସରକାର ପଞ୍ଚାୟତ ସହାୟକଙ୍କ ସମ୍ମାନ ରାଶି ୬୦୦୦ ଟଙ୍କାକୁ ୫୦ ପ୍ରତିଶତ ବଢ଼ାଇ ୯୦୦୦ ଟଙ୍କା କରିଛନ୍ତି । ଏହା ଦ୍ୱାରା ୫୭ ହଜାରରୁ ଅଧିକ ପଞ୍ଚାୟତ ସହାୟକ ଲାଭାନ୍ୱିତ ହେବେ । ଏହି ଟଙ୍କା ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ପହଁଚିବ। ପଞ୍ଚାୟତ ସହାୟକଙ୍କ ସେବା ସୁରକ୍ଷା ସମ୍ପର୍କରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଘୋଷଣା ମୁତାବକ ଗ୍ରାମ ମୁଖ୍ୟ ଏବଂ ପଞ୍ଚାୟତ ସଚିବ ନିଜେ ପଞ୍ଚାୟତ ସହାୟକଙ୍କୁ ବାହାର କରିପାରିବେ ନାହିଁ। ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ପଞ୍ଚାୟତ ସହାୟକଙ୍କୁ ବାହାର କରିବା ସମ୍ପର୍କରେ ନିଷ୍ପତ୍ତି ନେବ ।
ସେହିପରି ଆନ୍ଦୋଳନ ସମୟରେ ପଞ୍ଚାୟତ ସହାୟକଙ୍କ ବିରୁଦ୍ଧରେ ଦାୟର ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ। ଏହି ସମୟ ମଧ୍ୟରେ ଅପସାରିତ ହୋଇଥିବା ପଞ୍ଚାୟତ ସହାୟକମାନଙ୍କୁ ମଧ୍ୟ ପୁନଃନିଯୁକ୍ତ କରାଯିବ। ମହିଳା ପଞ୍ଚାୟତ ସହାୟକମାନଙ୍କୁ ପ୍ରସୂତି ଛୁଟି ପ୍ରଦାନ କରାଯିବା ସହିତ ସେମାନଙ୍କୁ ନଗଦବିହୀନ ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ।