ନୂଆଦିଲ୍ଲୀ: ସମୁଦ୍ର ଭିତରେ ପାକିସ୍ତାନ ପୁଣି ଥରେ ଲଜ୍ଜା ଜନକ ବ୍ୟବହାର ଦେଖାଇଛି । ଆରବ ସାଗରରେ ଭାରତ ଜାହାଜ ସହିତ ପାକିସ୍ତାନ ଜାହାଜ ଧକ୍କା ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ଭାରତ ଅତି ଗମ୍ଭୀରତାର ସହିତ ନେଇ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ କରାଇଛି । ବେପରୁଆ ଓ ଅସୁରକ୍ଷିତ ଚାଳନା ପାଇଁ ଏହା ହୋଇଥିବା ଭାରତ ଅଭିଯୋଗ କରିଛି ।
ଗତକାଲି ସନ୍ଧ୍ୟାରେ ଆରବ ସାଗରରେ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ନିୟମିତ ସୁରକ୍ଷା ପ୍ରଦାନ କରୁଥିବାବେଳେ ଏକ ପାକିସ୍ତାନୀ ନୌସେନା ଜାହାଜ ବାରମ୍ବାର ନିଜର ଗତି ବଦଳାଇବା ସହିତ କ୍ଷିପ୍ର ଗତିରେ ଆସି ଧକ୍କା ଦେଇଥିଲା । ଆଜି ପାକିସ୍ତାନ ଉଚ୍ଚ ଆୟୁକ୍ତଙ୍କୁ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟକୁ ଡକରା ହୋଇଥିଲା । ଭାରତ ଏଭଳି ଆଚରଣକୁ ନିନ୍ଦା କରିବା ସହିତ ଚେତାବନୀ ମଧ୍ୟ ଦେଇଛି ।
୧୯୯୧ ମସିହା ଚୁକ୍ତିର ସିଧାସଳଖ ଉଲ୍ଲଂଘନ ଅଟେ । ସାମରିକ ଅଭ୍ୟାସ, ଯୁଦ୍ଧାଭ୍ୟାସ ଏବଂ ସୈନ୍ୟ ଗତିବିଧି ସମ୍ପର୍କରେ ଅଗ୍ରିମ ସୂଚନା ଚୁକ୍ତିନାମାର ଧାରା ୧୦ ର ସିଧାସଳଖ ଉଲ୍ଲଂଘନ କରୁଛି। । ଏହି ଚୁକ୍ତିର ଧାରା ୧୦ ଅନୁଯାୟୀ ଦୁଇ ପକ୍ଷର ସାବଧାନତା ଅବଲମ୍ବନ ସହିତ ସମସ୍ତ ନିୟମକୁ ପାଳନ କରିବେ । ପାକିସ୍ତାନର ଆଚରଣ ଏହି ଧାରାର ସିଧାସଳଖ ଉଲ୍ଲଂଘନ ବୋଲି ଭାରତ ଅଭିଯୋଗ କରିଛି ।
ଭାରତ କହିଛି ଯେ ଦୁଇ ଦେଶର ସୈନ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ । ଆଗାମୀରେ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ କହିଛି । ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ବିଭାଗରେ ଅଭିଯୋଗ କରିବାକୁ ଇସଲାମାବାଦସ୍ଥିତ ଭାରତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୧୯୯୧ ଚୁକ୍ତିନାମାରେ କ’ଣ ଅଛି?
ଭାରତ ଏବଂ ପାକିସ୍ତାନ ସାମରିକ କାର୍ୟ୍ୟକଳାପ ସହିତ ଜଡିତ ଭୁଲ ବୁଝାମଣା ଏବଂ ଦୁର୍ଘଟଣାକୁ ରୋକିବା ପାଇଁ ଏପ୍ରିଲ ୧୯୯୧ ରେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମାର ଧାରା ୧୦ ବିଶେଷ ଭାବରେ ଅନ୍ତର୍ଜାତୀୟ ଜଳସୀମାରେ ଉଭୟ ଦେଶର ନୌସେନା ଜାହାଜ ଏବଂ ବୁଡ଼ାଜାହାଜ ପରିଚାଳନା ପାଇଁ ବ୍ୟବସ୍ଥା କରେ। ଏହି ଚୁକ୍ତିନାମା ଅନୁଯାୟୀ, ଦୁର୍ଘଟଣା ଏଡାଇବା ପାଇଁ ଉଭୟ ଦେଶର ନୌସେନା ଜାହାଜ ପରସ୍ପରର ତିନି ନଟିକାଲ୍ ମାଇଲ୍ ଠାରୁ ଅଧିକ ନିକଟତର ହେବା ଉଚିତ୍ ନୁହେଁ। ତିନି ନଟିକାଲ୍ ମାଇଲ୍ ପ୍ରାୟ ୫.୫୬ କିଲୋମିଟର। ଏହି ବ୍ୟବସ୍ଥା ଭାରତ ସରକାରଙ୍କ ପୁରୁଣା ସରକାରୀ ରେକର୍ଡରେ ମଧ୍ୟ ଉଲ୍ଲେଖ ଅଛି। ତେଣୁ, ବର୍ତ୍ତମାନର ଘଟଣା ଉପରେ ଭାରତର ଆପତ୍ତି କେବଳ ଧକ୍କା ବିଷୟରେ ନୁହେଁ, ବରଂ ପାକିସ୍ତାନୀ ଜାହାଜ ଅନ୍ତର୍ଜାତୀୟ ଜଳସୀମାରେ ସୁରକ୍ଷିତ ପରିଚାଳନା ପାଇଁ ବିଦ୍ୟମାନ ଦ୍ୱିପାକ୍ଷିକ ବ୍ୟବସ୍ଥା ପାଳନ କରି ନଥିଲା।