କୋଲକାତା: ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଉପନିର୍ବଚାନ ବିଗୁଲ ବାଜି ସାରିଛି । ମଙ୍ଗଳବାର ଭାରତୀୟ ଜନତା ପାର୍ଟୀ ନନ୍ଦିଗ୍ରାମ ପାଇଁ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିଦେଇଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦ୍ର ଅଧିକାରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମାଆଙ୍କୁ ମଇଦାନ ଓହ୍ଲାଇବ ବିଜେପି । ଚନ୍ଦ୍ରନାଥଙ୍କ ମାଆ ହସିରାନୀ ରଥଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ମୁର୍ଶିଦାବାଦ ଜିଲ୍ଲାର ରେଜୀନଗର ଆସନ ପାଇଁ ଶାଖାରବ ସରକାରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ହସିରାନୀ ରଥ ଆଜି ନିଜର ସମର୍ଥକଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜେ ନାମାଙ୍କନ ଦାଖଲ ପ୍ରକ୍ରିୟା ସମୟରେ ଉପସ୍ଥିତ ରହିବେ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ଅକ୍ଟୋବର 6 ତାରିଖରେ ନିର୍ବାଚନ ହେବ ।
ହସିରାନୀ ରାଜନୀତିରେ ଜଣେ ପୁରୁଣା ଖେଳାଳି । ସେ ୧୯୯୮ ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି । ହସିରାନୀ ଦୁଇ ଥର ପଞ୍ଚାୟତ ସଦସ୍ୟା ଏବଂ ତିନିଥର ପଞ୍ଚାୟତ ସମିତି ସଦସ୍ୟା ଭାବରେ କାର୍ଯ୍ୟ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପରେ ନନ୍ଦିଗ୍ରାମ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନ ନନ୍ଦିଗ୍ରାମ ଏବଂ ଭବାନୀପୁର ଛିଡ଼ା ହୋଇ ଉଭୟରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ନନ୍ଦିଗ୍ରାମ ଆସନରୁ ଇସ୍ତଫା ଦେଇଥିଲେ, କାରଣ ଜଣେ ବିଧାୟକ ଦୁଇଟି ଆସନ ମଧ୍ୟରୁ କେବଳ ଗୋଟିଏ ଆସନ ନିଜ ପାଖରେ ରଖିପାରିବେ ।
ପଶ୍ଚିମବଙ୍ଗ ନିର୍ବାଚନ ଶେଷ ହେବାର କିଛି ଦିନ ପରେ ଚନ୍ଦ୍ରନାଥ ଶର୍ମାଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରାଯାଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ସମାରୋହର ମାତ୍ର ଦୁଇ ଦିନ ପୂର୍ବରୁ ଚନ୍ଦ୍ରନାଥଙ୍କୁ ହତ୍ୟା କରାଯାଇଥିଲା ।