ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ପଦକ୍ଷେପ ନେଇଛି। ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସିବିଆଇ ପକ୍ଷରୁ ଏକ ନୂତନ ଏଫ୍ଆଇଆର୍ ରୁଜୁ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ଏଫ୍ଆଇଆର୍ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସମେତ ପ୍ରାୟ ୧୭ ଜଣ ଜଣାଶୁଣା ବ୍ୟକ୍ତିଙ୍କ ନାମ ସାମିଲ କରାଯାଇଛି। ପ୍ରାୟ ଛଅ ବର୍ଷ ପୁରୁଣା ଏହି ରହସ୍ୟଜନକ ମାମଲାରେ ଏବେ ସିବିଆଇ ପକ୍ଷରୁ ନୂତନ ଭାବେ ଖୋଳତାଡ଼ କରାଯିବ।
ଗତ ସେପ୍ଟେମ୍ବର ୨ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ସାରଙ୍ଗ କୋଟୱାଲ୍ ଏବଂ ଜଷ୍ଟିସ୍ ରଣଜିତସିଂହ ରାଜା ଭୋଂସଲେଙ୍କ ଖଣ୍ଡପୀଠ ଦିଶା ସାଲିଆନ୍ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଜଣେ ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୋର୍ଟ କହିଥିଲେ।
୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳସ୍ଥିତ ଏକ ଆବାସିକ ବିଲ୍ଡିଂର 12ତମ ମହଲାରୁ ଖସିପଡ଼ି ଦିଶାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହାର ଠିକ୍ ଗୋଟିଏ ସପ୍ତାହ ପରେ, ଅର୍ଥାତ୍ ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ, ଯାହାକୁ ନେଇ ସେତେବେଳେ ବଡ଼ଧରଣର ବିବାଦ ସୃଷ୍ଟି ହୋଇଥିଲା।
ଏହି ମାମଲାରେ ଦୀର୍ଘ ଛଅ ବର୍ଷ ଧରି କେବଳ ଏକ ଦୁର୍ଘଟଣାଜନିତ ମୃତ୍ୟୁ (ADR) ଭାବେ ମାମଲାକୁ ଚାପି ରଖିବା ଏବଂ ଏଫ୍ଆଇଆର୍ ରୁଜୁ ନକରିବାକୁ ନେଇ ହାଇକୋର୍ଟ ମୁମ୍ବାଇ ପୋଲିସକୁ କଡ଼ା ଭର୍ତ୍ସନା କରିଥିଲେ। ପୋଲିସ ତଦନ୍ତରେ ସ୍ପଷ୍ଟ ଅସଙ୍ଗତି ରହିଥିବା କୋର୍ଟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଦିଶାଙ୍କ ପିତା ସତୀଶ ସାଲିଆନ୍ ହାଇକୋର୍ଟରେ ଆବେଦନ କରି ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଏବଂ ସେ ଆଦିତ୍ୟ ଠାକରେଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଏଫ୍ଆଇଆର୍ରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ରୋହନ ରୋୟ, ଡିନୋ ମୋରିଆ, ଏବଂ ସୂରଜ ପାଞ୍ଚୋଲିଙ୍କ ନାମ ରହିଛି। ଏହାବ୍ୟତୀତ ରିଆ ଚକ୍ରବର୍ତ୍ତୀ, ଶୌବିକ୍ ଚକ୍ରବର୍ତ୍ତୀ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହ, ଏବଂ ସଚିନ ୱାଜେ ମଧ୍ୟ ଏହି ତାଲିକାରେ ଅଛନ୍ତି।
ତକ୍ରାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖ, ଡିସିପି ବିଶାଳ ଠାକୁର ଏବଂ ଆଦିତ୍ୟ ଠାକରେଙ୍କ ବଡିଗାର୍ଡଙ୍କ ନାମ ମଧ୍ୟ ଏଫ୍ଆଇଆର୍ରେ ସ୍ଥାନ ପାଇଛି। ଏହାବ୍ୟତୀତ ମାଲୱାଣୀ ପୋଲିସ ଷ୍ଟେସନର ସମ୍ପୃକ୍ତ ଅଧିକାରୀ, ପୋଷ୍ଟମୋର୍ଟମରେ ବିଳମ୍ବ କରିଥିବା ଡାକ୍ତର ଓ ଷ୍ଟାଫ୍, ରିଜେଣ୍ଟ ଗାଲାକ୍ସି ବିଲ୍ଡିଂର ସିକ୍ୟୁରିଟି ଗାର୍ଡ ଏବଂ ଏସଆଇଟିର ବରିଷ୍ଠ ସଦସ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
ଏହି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲାର ପ୍ରମାଣ ନଷ୍ଟ କରିବା, ତଥ୍ୟ ଚାପିବା ଏବଂ ସରକାରୀ ରେକର୍ଡରେ ହେରଫେର କରିବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି। ଏବେ କେନ୍ଦ୍ରୀୟ ଏଜେନ୍ସିର ଏହି କଡ଼ା ପଦକ୍ଷେପ ପରେ ରାଜନୈତିକ ଏବଂ ସିନେମା ଜଗତରେ ଏହା ଏକ ବଡ଼ ହଇଚଇ ସୃଷ୍ଟି କରିଛି।