ଭୁବନେଶ୍ୱର: ସହରରେ ବଢ଼ୁଥିବା ଅଗ୍ନିକାଣ୍ଡ ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ଆରମ୍ଭ କରିଛି ବଡ଼ ଧରଣର ଆକ୍ସନ ପ୍ଲାନ୍। ଆଜିଠାରୁ ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନ ଅଧୀନରେ ରାଜ୍ୟବ୍ୟାପୀ ମାସେ ବ୍ୟାପୀ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି।
ଏହି ଅଭିଯାନରେ ଅଗ୍ନିଶମ ଟିମ୍ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସପିଂ ମଲ୍, ସିନେମା ହଲ୍, ହସ୍ପିଟାଲ୍, ହୋଟେଲ୍ ଓ ବହୁତଳ ରେସିଡେନସିଆଲ୍ ବିଲ୍ଡିଂରେ ସରପ୍ରାଇଜ ଇନ୍ସପେକ୍ସନ୍ କରିବ। କେଉଁ ମୁହୂର୍ତ୍ତରେ ବି ଟିମ୍ ପହଞ୍ଚିପାରେ ବୋଲି ବିଭାଗ ସତର୍କ କରିଛି।
ଯେଉଁ ଅଟ୍ଟାଳିକାରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନାହିଁ କିମ୍ବା ଆବଶ୍ୟକ ଅଗ୍ନି ନିରାପତ୍ତା ସରଞ୍ଜାମ ସ୍ଥାପନ କରାଯାଇନାହିଁ, ସେଠାରେ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭାଗ ପକ୍ଷରୁ ପୂର୍ବରୁ ମହଲତ ଦିଆଯାଇଥିବାରୁ ବର୍ତ୍ତମାନ ନିୟମ ଖିଲାପକାରୀଙ୍କ ବିରୋଧରେ ସିଧାସଳଖ ଆକ୍ସନ ହେବ।
ଅଗ୍ନିକାଣ୍ଡ ଘଟିବା ପରେ ପଦକ୍ଷେପ ନୁହେଁ, ବରଂ ଅଘଟଣକୁ ଆଗୁଆ ରୋକିବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ। ସେଥିପାଇଁ ଫାୟାର ସେଫ୍ଟି ନିୟମର କଡ଼ାକଡ଼ି ଲାଗୁ ସହ ସାର୍ଟିଫିକେଟ୍ ଆବଶ୍ୟକ ଥିବା ସମସ୍ତ ଅଟ୍ଟାଳିକାର ସର୍ଭେ ମଧ୍ୟ କରାଯିବ।
ଏଥିସହ ବିଭାଗ AI ଆଧାରିତ ଡାଟାବେସ୍, ଆଧୁନିକ କଣ୍ଟ୍ରୋଲ୍ ରୁମ୍, ହ୍ୱାଟ୍ସଆପ୍ ଯୋଗାଯୋଗ ବ୍ୟବସ୍ଥା ଓ ଲାଇସେନ୍ସ ପ୍ରକ୍ରିୟାରେ ହଇରାଣ ହେଉଥିବା ଲୋକଙ୍କ ପାଇଁ ଟୋଲ୍ ଫ୍ରି ଅଭିଯୋଗ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିବ।
ତେଣୁ ଫାୟାର ସେଫ୍ଟି ସାର୍ଟିଫିକେଟ୍, ଫାୟାର ଏକ୍ସଟିଙ୍ଗୁଇସର୍, ଆଲାର୍ମ ସିଷ୍ଟମ୍, ଏମର୍ଜେନ୍ସି ଏକ୍ସିଟ୍ ଓ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ସଠିକ୍ ରହିଛି କି ନାହିଁ, ତାହା ତୁରନ୍ତ ଯାଞ୍ଚ କରିବାକୁ ଅଗ୍ନିଶମ ବିଭାଗ ସମସ୍ତ ସଂସ୍ଥାକୁ ପରାମର୍ଶ ଦେଇଛି।