ସମ୍ବଲପୁର: ସମ୍ବଲପୁର ସହରର ବୁଢ଼ାରାଜା ଅଞ୍ଚଳସ୍ଥିତ ଡେହେରିପାଲି ଗଣପତି ପୂଜାମଣ୍ଡପରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତିରେ ହଠାତ୍ ମଣ୍ଡପରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ମଣ୍ଡପଟି ଜଳି ପାଉଁଶ ହୋଇଯାଇଛି। ତେବେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଓ ଜନସମାଗମ ଥିଲେ ହେଁ ଆୟୋଜକ ଏବଂ ସ୍ବେଚ୍ଛାସେବୀଙ୍କ ପ୍ରୟାସ ଯୋଗୁଁ କାହାରି କୌଣସି ବଡ଼ଧରଣର କ୍ଷତି ହୋଇନାହିଁ।
ମିଳିଥିବା ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ହଠାତ୍ ଏହି ଅଗ୍ନିକାଣ୍ଡ ଘଟିଥିଲା। ପୂଜା ମଣ୍ଡପରେ ଲୁହା ଷ୍ଟାଣ୍ଡ ସହିତ ପଲିଷ୍ଟର କପଡ଼ାର ସାଜସଜ୍ଜା ଓ କାରୁକାର୍ଯ୍ୟ କରାଯାଇଥିଲା। ଏହି କାରଣରୁ ନିଆଁଟି ଅତି ଶୀଘ୍ର ବ୍ୟାପି ଯାଇଥିଲା ଏବଂ ଦେଖୁଦେଖୁ ସମସ୍ତ ମଣ୍ଡପକୁ ଗ୍ରାସ କରିଥିଲା। ସେହି समय ମଣ୍ଡପରେ ପୂଜକ ଏବଂ କିଛି କର୍ମକର୍ତ୍ତା ଉପସ୍ଥିତ ଥିଲେ, କିନ୍ତୁ ସମସ୍ତଙ୍କୁ ତତ୍କ୍ଷଣାତ୍ ସୁରକ୍ଷିତ ଭାବେ ବାହାରକୁ ସ୍ଥାନାନ୍ତର କରାଯାଇଥିଲା।
ଦମକଳ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ
ଖବର ପାଇବା କ୍ଷଣି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୁଦାମ କିଶକୋଙ୍କ କହିବାନୁସାରେ, ରାତି ପ୍ରାୟ ୮:୨୫ ମିନିଟ୍ରେ ସେମାନେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଥିଲେ। ତୁରନ୍ତ ଟିମ୍ ପହଞ୍ଚି ନିଆଁକୁ ଚାରିଆଡ଼ୁ ଆୟତ୍ତ କରିବାରେ ସଫଳ ହୋଇଥିଲା।
ପ୍ରାଥମିକ ତଦନ୍ତରୁ ଦୀପର ନିଆଁ କିମ୍ବା ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଦୁର୍ଘଟଣାରେ ପୂଜା ମଣ୍ଡପର ବହୁତ କ୍ଷତି ହୋଇଥିଲେ ମଧ୍ୟ କୌଣସି ଜୀବନହାନି ହୋଇନଥିବାରୁ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
Also Read: ୧୯ ରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ଆରମ୍ଭ ହେଵ