ଭୁବନେଶ୍ୱର: ୧୯୯୯ରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କୁ ଆଗୁଆ ମୁକ୍ତି ମିଳିବ ନାହିଁ। ଓଡ଼ିଶାର ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ରିମିଶନ ଆବେଦନକୁ ଖାରଜ କରିଛି। ସେପ୍ଟେମ୍ବର ୧୭ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି।
୬୭ ବର୍ଷୀୟ ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ୨୦୨୨ ରିମିଶନ ନୀତି ଅନୁସାରେ ସେ ବିଚାର ପାଇଁ ଯୋଗ୍ୟ ହୋଇଥିଲେ ଏବଂ ୨୦୨୪ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୩୧ରେ ହୋଇଥିବା ବିଶେଷ ବୈଠକରେ ବୋର୍ଡ ମାମଲାର ସମୀକ୍ଷା କରି ମୁକ୍ତି ସାମାଜିକ ଓ ସାମ୍ପ୍ରଦାୟିକ ଶାନ୍ତି ଉପରେ ପ୍ରଭାବ ପକାଇପାରେ ବୋଲି ମତ ଦେଇଛି।
କେନ୍ଦୁଝର ଜିଲ୍ଲା ପ୍ରଶାସନର ସଦ୍ୟତମ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଅଗଷ୍ଟ ୧୫ରେ କେନ୍ଦୁଝର ଜିଲ୍ଲା କାରାଗାର ବାହାରେ ପ୍ରାୟ ୨୦୦ରୁ ୨୫୦ ଜଣ ଦାରା ସେନା ସମର୍ଥକ ଏକତ୍ରିତ ହୋଇ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିଲେ। ବୋର୍ଡ କହିଛି, ଜିଲ୍ଲା ପ୍ରଶାସନ ମୁକ୍ତି ପକ୍ଷରେ ସ୍ପଷ୍ଟ ସୁପାରିସ କରିନଥିବାରୁ ରିପୋର୍ଟ ଅସମ୍ପୂର୍ଣ୍ଣ ରହିଛି, ତଥାପି ଆଗୁଆ ମୁକ୍ତି ଉଚିତ ନୁହେଁ।
ଦାରା ସିଂହଙ୍କ ରିମିଶନ ଆବେଦନ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ ଖାରଜ ହୋଇଥିଲା। ୨୦୨୫ରେ କେନ୍ଦୁଝର ପ୍ରଶାସନ ସର୍ତ୍ତ ସହ ମୁକ୍ତି ସୁପାରିସ କରିଥିଲେ ମଧ୍ୟ, ବୋର୍ଡ ତିନୋଟି ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇଥିବା କାରଣ ଦର୍ଶାଇ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା।
୨୦୦୩ରେ ସିବିଆଇ କୋର୍ଟ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ ଓ ସୁପ୍ରିମକୋର୍ଟ ମଧ୍ୟ ସେହି ରାୟକୁ ବଜାୟ ରଖିଥିଲେ। ଏହାଛଡ଼ା ଫାଦର ଅରୁଲ ଦୋସ ଓ ବ୍ୟବସାୟୀ ଏସ୍.କେ. ରହମାନଙ୍କ ହତ୍ୟା ମାମଲାରେ ମଧ୍ୟ ସେ ଆଜୀବନ ସଜା ଭୋଗୁଛନ୍ତି।