ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପୁଣି ଥରେ ଚମକିଛି। ତିନି ଭାରତୀୟ ମହିଳା କ୍ରିକେଟର୍ ଆଇସିସି ମାନ୍ୟତାରେ ନିଜର ସ୍ଥାନ ଅକ୍ତିଆର କରିଛନ୍ତି । ସ୍ପିନର ଶ୍ରୀ ଚରଣୀ ଆଇସିସି ମହିଳା ରାଙ୍କିଙ୍ଗରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଶ୍ରୀ ଚରଣୀ ଆଇସିସି ଟି-ଟ୍ୱେଣ୍ଟିରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ଗୌରବ ହାସଲ କରିଛନ୍ତି ।
୨୦୨୬ ମହିଳା ଏସିଆ କପ୍ରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ଏହି ସ୍ଥାନ ବଜାୟ ରଖିପାରେ ସଫଳ ହୋଇଛନ୍ତି । ଚରଣୀ ମହିଳା ଏସିଆ କପ୍ରେ ମୋଟ ୧୨ଟି ୱିକେଟ୍ ନେଇ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଭାବେ ଗୌରବ ଅର୍ଜନ କରିଥିଲେ । ଫଳସ୍ୱରୂପ ବୋଲିଂ ରାଙ୍କିଙ୍ଗରେ ତାଙ୍କର ରେଟିଂ ପଏଣ୍ଟ ୮୦୪କୁ ବୃଦ୍ଧି ପାଇଛି । ଆଇସିସି ଟି-ଟ୍ୱେଣ୍ଟି ବୋଲିଂ ରାଙ୍କିଙ୍ଗରେ ୮୦୦ ପଏଣ୍ଟ ସୀମାରେ ପହଞ୍ଚିବାରେ କିମ୍ବା ତାହା ଅତିକ୍ରମ କରିବାରେ ସେ ପ୍ରଥମ ଭାରତୀୟ ମହିଳା ବୋଲର ହୋଇପାରିଛନ୍ତି।
ଏସିଆ କପ୍ ସମୟରେ ନିଜର ସ୍ପିନ୍ ବୋଲିଂ ଦ୍ୱାରା ବ୍ୟାଟରମାନଙ୍କୁ ଚକିତ କରିଥିବା ଦୀପ୍ତି ଶର୍ମା ମଧ୍ୟ ସାମ୍ପ୍ରତିକ ଆଇସିସି ମାନ୍ୟତାରେ ଚତୁର୍ଥ ଚାରି ସ୍ଥାନରୁ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ୭୨୯ ରେଟିଂ ପଏଣ୍ଟ ରହିଛି ଏବଂ ସେ ବୋଲିଂ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେହିପରି ଓପନିଂ ବ୍ୟାଟର ଶେଫାଳି ବର୍ମା ମଧ୍ୟ ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଉଭୟ ସେମି ଫାଇନାଲ୍ ଏବଂ ଫାଇନାଲରେ ଧୂଆଁଧାର ବ୍ୟାଟିଂ କରି ଦୁଇଟି ଶତକ ହାସଲ କରିଥିଲେ । ଶେଫାଳି ଏସିଆ କପରେ ମୋଟ ୨୩୬ ରନ୍ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ସେ ବ୍ୟାଟିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ୭୪୧ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।
ଅନ୍ୟତମ ଭାରତୀୟ ଖେଳାଳି ସ୍ମୃତି ମନ୍ଧାନା ୭୪୫ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଥିବାବେଳେ, ଭାରତୀୟ ଅଧିନାୟିକା ହରମନପ୍ରୀତ କୌର T20 ମାନ୍ୟତାରେ ଦଶମ ସ୍ଥାନ ଅଧିକାର କରିଛନ୍ତି।