ନିଆଳି : ଗଣେଶ ମୂର୍ତ୍ତି ଭସାଣି ବେଳେ ପୋଲିସକୁ ଆକ୍ରମଣ କରି ୬ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଗୁଣ୍ଡର ଗ୍ରାମରେ।
ସୂଚନା ଅନୁଯାୟୀ ଡିଜେ ବଜାଇ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାତିରେ ଚାଲିଥିଲା ଭସାଣି ଯାତ୍ରା । ଏହି ସମୟରେ ଡିଜେ ବଜାଇବାକୁ ନେଇ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଖବର ପାଇ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଭସାଣିରେ ସାମିଲ ଥିବା ଯୁବକମାନେ ପୋଲିସକୁ ଆକ୍ରମଣ କରିଥିଲେ। ଯେଉଁଥିରେ ପୋଲିସ କର୍ମଚାରୀ ବିଶ୍ୱଜିତ୍ ବାଘ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଗୋଡ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହେବା ସହ କ୍ଷତାକ୍ତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ନିଆଳି ପୋଲିସର ଅନ୍ୟ କର୍ମଚାରୀ, ଓଲଟପୁର ପୋଲିସ ଓ ଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ।
ତେବେ ସେମାନଙ୍କ ମଧ୍ଯରୁ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ପୋଲିସ ନିଜ ପକ୍ଷରୁ ଏଫଆଇଆର ରୁଜୁ କରିବା ସହ ୮୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଗିରଫ ଭୟରେ ଗାଁ ପୁରୁଷ ଶୂନ୍ଯ ହୋଇଛି ।