ଭଦ୍ରକ: ମଦ ନିଶାରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ। ଘରୋଇ କଳହର ଭୟଙ୍କର ପରିଣତି ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପାଇକିରାପୁର ଗାଁରୁ ଆସିଛି ଚାଞ୍ଚଲ୍ୟକର ଘଟଣା। ସ୍ତ୍ରୀଙ୍କୁ ମଦ ବୋତଲରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଅଭିଯୋଗ ଅନୁସାରେ, କସ୍ତୁରୀକଣ ଗାଁର ଦୁର୍ଯ୍ୟୋଧନ କରଣଙ୍କ ଝିଅ ପ୍ରାୟ ୧୫ ବର୍ଷ ପୂର୍ବେ ପାଇକିରାପୁର ଗାଁର ବିଜୟ ପତିଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସକୁ କେନ୍ଦ୍ର କରି ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ବିଜୟ ମଦ ନିଶାରେ ଘରକୁ ଫେରି ସ୍ତ୍ରୀଙ୍କ ସହ ବଚସା କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ମଦ ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଗୁରୁତର ଆଘାତରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ବାପଘର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ କହିଛି, ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖାଯାଇଛି ଏବଂ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।