ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଅବସରରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଠାରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଚିତ୍ତାକର୍ଷକ ପ୍ରଦର୍ଶନକୁ ଉପଭୋଗ କରିଛନ୍ତି ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ଓଡ଼ିଶୀ, ସମ୍ବଲପୁରୀ, ଘୁମୁରା, ଲାଞ୍ଜିଆ ସଉରା ଏବଂ କୋରାପୁଟର ପ୍ରସିଦ୍ଧ 'ଢେମସା' ନୃତ୍ୟ ସାମିଲ ଥିଲା ।
ଏହି କାର୍ଯ୍ୟକ୍ରମର କିଛି ମୁଖ୍ୟ ଆକର୍ଷଣ ଥିଲା ଢେମ୍ସା ନୃତ୍ୟ। ରାଷ୍ଟ୍ରପତି ଭବନରେ କୋରାପୁଟିଆ ଢେମ୍ସା ପରିବେଷଣ କରିଛନ୍ତି କଳା ବିକାଶ କେନ୍ଦ୍ରର ୧୬ ଜଣିଆ ଦଳ। ସାଗର ବିଶୋଇଙ୍କ ନେତୃତ୍ୱରେ ଏହି ଦଳର କଳାକାରମାନେ ନୂଆଦିଲ୍ଲୀରେ ଯାଇଛନ୍ତି । ରାଷ୍ଟ୍ରପତି ଭବନର ନୂଆଁଖାଇ ଉତ୍ସବରେ ଯୋଗଦେବାକୁ ଉଭୟ ଦଳକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ପତ୍ର ଆସିଥିଲା ।
କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି କଳାକାରମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଫଟୋ ଉଠାଇ ସେମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ପ୍ରକାଶ କରିଥିଲେ ଯେ, ନୂଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ବରଂ ଏହା ସାମାଜିକ ଏକତା, ପାରିବାରିକ ସଂପର୍କ ଏବଂ ଭାଇଚାରାର ପ୍ରତୀକ ଅଟେ।
ପଶ୍ଚିମ ଓଡ଼ିଶାର ଏହି ମହାନ ପର୍ବ ଦେଶର ସର୍ବୋଚ୍ଚ ଭବନରେ ପାଳିତ ହେବା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସତରେ ଏକ ଗର୍ବର ବିଷୟ ।