ଭୁବନେଶ୍ୱର: ଓଡ଼ିଶାକୁ ବିଶ୍ୱସ୍ତରୀୟ ଶିଳ୍ପ ଓ ପ୍ରଯୁକ୍ତି ହବ୍ରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ଆସନ୍ତାକାଲି ରାଜଧାନୀରେ ଆୟୋଜିତ ହେବାକୁ ଥିବା ହାଇ-ପ୍ରୋଫାଇଲ୍ ଇନଭେଷ୍ଟର ରୋଡ୍ଶୋ’ରେ ସେ ଯୋଗଦେଇ ବିଦେଶୀ ନିବେଶକଙ୍କ ସମ୍ମୁଖରେ ଓଡ଼ିଶାର ଶିଳ୍ପ ସମ୍ଭାବନା ଉପସ୍ଥାପନ କରିବେ।
‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୟୁରୋପ, ଜାପାନ ଓ ଦକ୍ଷିଣ କୋରିଆର ପ୍ରତିନିଧି ଦଳ ସହ ସ୍ୱତନ୍ତ୍ର ବୈଠକ ନିର୍ଦ୍ଧାରିତ ରହିଛି। ଏହି ଦେଶଗୁଡ଼ିକର ଅନେକ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଗଭୀର ଆଗ୍ରହ ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ବିଶେଷକରି ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରାଥମିକତା ଦେଇ ଓଡ଼ିଶାକୁ ଭାରତର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ପାଇଁ ଯୋଜନାବଦ୍ଧ ଭାବେ କାମ କରୁଛି। ଉନ୍ନତ ପ୍ରଯୁକ୍ତି, ବୈଶ୍ୱିକ ପୁଞ୍ଜି ଓ ଉଚ୍ଚମାନର ଉତ୍ପାଦନ ଶିଳ୍ପକୁ ଆକର୍ଷିତ କରିବା ଉପରେ ସରକାରର ବିଶେଷ ଫୋକସ୍ ରହିଛି।
ଦିଲ୍ଲୀ ରୋଡ୍ଶୋ’ରେ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅଗ୍ରଣୀ ଶିଳ୍ପ କ୍ଷେତ୍ରରେ ନିବେଶ ସୁଯୋଗକୁ ପ୍ରମୁଖ ଭାବେ ପ୍ରଦର୍ଶନ କରାଯିବ। ଏହି ରୋଡ୍ଶୋ’ ମାଧ୍ୟମରେ ଓଡ଼ିଶାକୁ ଦେଶର ସବୁଠୁ ଆକର୍ଷଣୀୟ ନିବେଶ ଗନ୍ତବ୍ୟ ଭାବେ ସ୍ଥାପିତ କରିବାକୁ ରାଜ୍ୟ ସରକାର ଆଶା ରଖିଛନ୍ତି।