ପୁରୀ: ଲଗାଣ ବର୍ଷାରେ ଅଳ୍ପକେ ଟଳିଗଲା ଏକ ବଡ଼ ଅଘଟଣ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଜେନାପୁର ପଞ୍ଚାୟତ ଅନ୍ତର୍ଗତ ପାଇକସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚେରୀ ବୁଧବାର ହଠାତ୍ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଛୁଟି ଥିବାରୁ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ନଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ପରିସର ଚାରିପାଖରେ ପାଣି ଜମି ରହିଥିଲା। ଦୀର୍ଘ ସମୟ ଧରି ଜଳ ଜମି ରହିବାରୁ ଉତ୍ତର ପାର୍ଶ୍ୱ ପାଚେରୀ ଦୁର୍ବଳ ହୋଇଯାଇଥିଲା ଏବଂ ଶେଷରେ ତାହା ଭୁଶୁଡ଼ି ପଡ଼ିଥିଲା।
ଘଟଣା ପରେ ସ୍କୁଲ ପରିଚାଳନା କମିଟି (SMC) ତୁରନ୍ତ ଭୁଶୁଡ଼ି ପଡ଼ିଥିବା ପାଚେରୀର ପୁନର୍ନିର୍ମାଣ ଦାବି କରିଛି। ଏହାସହ ବାକି ଥିବା ପାଚେରୀଗୁଡ଼ିକର ସୁରକ୍ଷା ଯାଞ୍ଚ କରିବାକୁ ମଧ୍ୟ ଦାବି ଉଠିଛି।
ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ମରାମତି କାମ ଆରମ୍ଭ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।