ଲୁଡୋ ଖେଳକୁ ନେଇ ହୋଇଥିବା ଛୋଟିଆ ବଚସା ଶେଷରେ ନେଲା ଭୟଙ୍କର ରୂପ। ପୁରୁଣା ରାଗରୁ ସମ୍ପର୍କୀୟଙ୍କ ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଧୀନ କୋଷ୍ଟିଗୁଡ଼ା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ମୃତକଙ୍କ ନାଁ ରଘୁ ସାନ୍ତା।
ପୁଲିସର ସୂଚନା ଅନୁସାରେ, କିଛି ଦିନ ତଳେ ରଘୁ ଓ ତାଙ୍କ ସମ୍ପର୍କୀୟ ୩୫ ବର୍ଷୀୟ ସୁରେନ୍ଦ୍ର ସାନ୍ତାଙ୍କ ମଧ୍ୟରେ ଲୁଡୋ ଖେଳକୁ ନେଇ ଝଗଡ଼ା ହୋଇଥିଲା। ସେହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ରାଗ ରହିଥିବା କୁହାଯାଉଛି। ଗତକାଲି (ମଙ୍ଗଳବାର) ରାତିରେ ଗାଁରେ ବାଜା ଆଖଡ଼ା ପାଇଁ ଚାଲିଥିଲା ନାଚଗୀତର ରିହର୍ସାଲ। ଗାଁରେ ଉତ୍ସବର ମାହୋଲ ଥିବା ବେଳେ ହଠାତ୍ ରଘୁଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ସୁରେନ୍ଦ୍ରଙ୍କ ବିରୋଧରେ। ଛୁରାମାଡ଼ରେ ରଘୁ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲେ।
ପରିବାର ଲୋକ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ବାହାରିଥିଲେ। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ରଘୁଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଖାତିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ମୃତଦେହକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ପଠାଇ ବ୍ୟବଚ୍ଛେଦ କରାଯାଇଛି।
ଅନ୍ୟପଟେ ଆକ୍ରମଣ ପରେ ଅଭିଯୁକ୍ତ ସୁରେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସ ମାମଲା ରୁଜୁ କରି ତାଙ୍କୁ ଖୋଜୁଛି। ଲୁଡୋ ଖେଳକୁ ନେଇ ଆରମ୍ଭ ହୋଇଥିବା ବିବାଦ କିପରି ହତ୍ୟାକାଣ୍ଡର ରୂପ ନେଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।