ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟସ କୋର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ଲାଗୁ କରାଯାଇଥିବା ନୂଆ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଢାଞ୍ଚାକୁ 'ଭାରତପେ' ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି। ଏଥିସହ ସାଧାରଣ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଅନ୍ୟପଟେ, କମ୍ପାନୀର ପୂର୍ବତନ ମୁଖ୍ୟ ଅଶନୀର ଗ୍ରୋଭରଙ୍କ ବିବାଦୀୟ ବୟାନ ସହ ଭାରତପେ’ର କୌଣସି ସମ୍ପର୍କ ନାହିଁ ବୋଲି କମ୍ପାନୀ କହିଛି।
ଗ୍ରାହକଙ୍କ ଉପରେ ପଡ଼ିବନି ଶୁଳ୍କର ବୋଝ
ଭାରତପେ’ର ସିଇଓ ନଲିନ୍ ନେଗୀ ଦର୍ଶାଇଛନ୍ତି ଯେ, ନୂଆ MDR ନିୟମ ଦ୍ୱାରା ସାଧାରଣ ଗ୍ରାହକମାନେ UPI ବ୍ୟବହାର ପାଇଁ କୌଣସି ଅତିରିକ୍ତ ଦେୟ ଦେବେ ନାହିଁ। କ୍ଷୁଦ୍ର ଓ ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଶୂନ୍ୟ MDR ବ୍ୟବସ୍ଥା ରହିଛି, ଯାହା ସେମାନଙ୍କ ସ୍ୱାର୍ଥ ରକ୍ଷା କରିବ। NPCI ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୯୬ ପ୍ରତିଶତ P2M (ପର୍ସନ୍-ଟୁ-ମର୍ଚାଣ୍ଟ) କାରବାର ଏହି ନୂଆ ନିୟମ ଦ୍ୱାରା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ।
ଅଶନୀର ଗ୍ରୋଭରଙ୍କ ବୟାନ ସମ୍ପୂର୍ଣ୍ଣ ବ୍ୟକ୍ତିଗତ
ୟୁପିଆଇ କାରବାର ଉପରେ MDR ଲାଗୁକୁ ନେଇ ଅଶନୀର ଗ୍ରୋଭର କଡ଼ା ସମାଲୋଚନା କରିଥିଲେ। ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇ ଭାରତପେ’ କହିଛି ଯେ, ୨୦୨୪ ମସିହାରୁ ଅଶନୀର ଗ୍ରୋଭରଙ୍କ ସହ କମ୍ପାନୀର କୌଣସି ସମ୍ପର୍କ ନାହିଁ। ସେ କମ୍ପାନୀର କୌଣସି ପଦବୀ କିମ୍ବା ଶେୟାରଧାରକ ନୁହଁନ୍ତି। ତେଣୁ ତାଙ୍କର ମତାମତକୁ କମ୍ପାନୀର ବୟାନ ଭାବେ ନଗ୍ରହଣ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି।