ନୂଆଦିଲ୍ଲୀ: ସାରା ଦେଶରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ବ୍ୟବହାର କରୁଥିବା କୋଟି କୋଟି ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପିଆଇ ଲେଣଦେଣ ଉପରେ ଶୁଳ୍କ କିମ୍ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ୟୁପିଆଇ ସେବା ଉପରେ ଏମଡିଆର୍ ପୁନଃ ଲାଗୁ ନକରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ରଦ୍ଧ କରିବା ପାଇଁ ଶୀର୍ଷ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଛି।
ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ୟୁପିଆଇ କେବଳ ଏକ ପେମେଣ୍ଟ ମାଧ୍ୟମ ନୁହେଁ, ବରଂ ଏହା ଦେଶର ଡିଜିଟାଲ୍ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ପାଲଟିସାରିଛି। ଯଦି ଏହା ଉପରେ କୌଣସି ପ୍ରକାରର ଶୁଳ୍କ କିମ୍ବା MDR ଆଦାୟ କରାଯାଏ, ତେବେ ଛୋଟ ବ୍ୟବସାୟୀ, ଦୋକାନୀ ଏବଂ ସାଧାରଣ ନଗଦବିହୀନ ଲେଣଦେଣ କରୁଥିବା ଗ୍ରାହକମାନେ ଆର୍ଥିକ ଭାବେ ପ୍ରଭାବିତ ହେବେ।
ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଗଲେ ଦେଶରେ ପୁଣି ଥରେ ନଗଦ କାରବାର ବୃଦ୍ଧି ପାଇବାର ଭୟ ରହିଛି। ସରକାରୀ ସ୍ତରରେ 'ଡିଜିଟାଲ୍ ଇଣ୍ଡିଆ' ଅଭିଯାନକୁ ସଫଳ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି, ଶୁଳ୍କ ଲାଗୁ ହେଲେ ତାହା ବାଧାପ୍ରାପ୍ତ ହୋଇପାରେ ବୋଲି ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ୟୁପିଆଇ ଲେଣଦେଣ ଓ ରୁପେ କ୍ରେଡିଟ୍ କାର୍ଡ ଉପରେ MDR ଲାଗୁ କରିବାକୁ ନେଇ ବ୍ୟାଙ୍କ ଏବଂ ଫିନ୍ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ଆଲୋଚନା ଚାଲିଥିଲା। ଏହି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଗାମୀ ଦିନରେ ୟୁପିଆଇ ମାଗଣା ରହିବ ନା ଏହା ଉପରେ ସରକାରୀ ସ୍ତରରେ ଶୁଳ୍କ ସ୍ଥିର ହେବ, ତାହା ଉପରେ ସାରା ଦେଶର ନଜର ରହିଛି।
Also Read: UPI ଚାର୍ଜ ଉପରେ ବିଦେଶୀ ଚାପ ଅଭିଯୋଗକୁ ଖାରଜ କଲେ କେନ୍ଦ୍ର ସରକାର, MDR ସମ୍ପର୍କରେ ସ୍ଥିତି କଲେ ସ୍ପଷ୍ଟ