ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ପରିଚାଳିତ ‘ଶେହଜାଦ ଭଟ୍ଟୀ ନେଟୱାର୍କ’ ବା ଏସିବଏନ୍ ବିରୋଧରେ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରାଳୟ ଭଟ୍ଟୀ ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭାରତ ସରକାର ପୁଣି ଥରେ ସ୍ପଷ୍ଟ କରିଦେଇଛି ଯେ ଆତଙ୍କବାଦୀ ପ୍ରତି ଶୂନ୍ୟ ସହନଶୀଳତା ନୀତି ବଜାୟ ରହିବ । ଗୃହ ମନ୍ତ୍ରାଳୟ କହିଛି ଯେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯେଉଁ ବିଚାର ରହିଛି ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ୟୁଏପିଏ ଅଧିନରେ ଶାହଜାଦ ଭଟ୍ଟୀ ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ଏହା ସାମୁହିକ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶା ସାମଗ୍ରୀକୁ ସୀମା ପାର କାରବାର କରିବାରେ ଜଡ଼ିତ ରହିଛି । ଏହା ସହିତ ଯୁବବର୍ଗଙ୍କୁ ପ୍ରଲୋଭିତ କରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉସକାଉଛି । ଭାରତ ଗଣତନ୍ତ୍ର ପ୍ରକ୍ରିୟା ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନିଶାଣ କରାଯାଉଛି । ଏସବିଏନ୍ ସିଣ୍ଡିକେଟ୍ ଡିଜିଟାଲ୍ କଣ୍ଟେଣ୍ଟ୍ ପ୍ରକାଶିତ କରି ଦେଶ ବିରୋଧରେ ଘୃଣା ଭାବନା ସୃଷ୍ଟି କରୁଛି । ଗୃହ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ଏସବିଏନ୍ ଦେଶରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି ।
ତେଣୁ ସରକାର ୟୁଏପିଏ ୧୯୬୭ର ଧାରା ୩୫ର ଉପଧାରା ୧ (କ) ଅନୁଯାୟୀ ଶେହଜାଦ ଭଟ୍ଟୀ ନେଟୱାର୍କକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛନ୍ତି ।