ପବିତ୍ର ଗଣେଶ ଚତୁର୍ଥୀର ଅବସରରେ ହାଇଦ୍ରାବାଦର ବେଗମ ବଜାରରେ ଥିବା ଲିଚି ପର୍ଲ ସେଟ୍ ଜୁଏଲସ୍ ରେ ସ୍ଥାପନ କରାଯାଇଛି ଏକ ଆକର୍ଷଣୀୟ ଭବ୍ୟ ଏବଂ ଅନନ୍ୟ ଗଣେଶ ମୂର୍ତ୍ତି । ଏହି ଗଣେଶଙ୍କୁ 'ଲିଚି କା ରାଜା' ବୋଲି ନାମିତ କରାଯାଇଛି। ଏହି ମୂର୍ତ୍ତିକୁ ୨୪ କ୍ୟାରେଟ୍ ସୁନା ର ପ୍ଲେଟିଂ ସହିତ ୩,୮୩,୮୦୦ ଆମେରିକାନ ଡାଏମଣ୍ଡ ରେ ସଜ୍ଜିତ କରାଯାଇଛି। ଲାଇଟ୍ ପଡ଼ିବା ମାତ୍ରେ ଏହି ସୁନା ଏବଂ ହୀରା ଖଚିତ ମୂର୍ତ୍ତିର ଚମକ ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରୁଛି। ଏହା ୨୪ କ୍ୟାରେଟ୍ ସୁନା ପ୍ଲେଟେଡ୍ ମୂର୍ତ୍ତି ୩୮୩,୮୦୦ ଆମେରିକୀୟ ହୀରାରେ ସଜ୍ଜିତ। ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।
ଆୟୋଜକ ଆଦର ଅଗ୍ରୱାଲଙ୍କ କହିବା ଅନୁସାରେ ଏଥର ତାଙ୍କ ସଂଗଠନ ତୃତୀୟ ବର୍ଷ ଗଣେଶ ଉତ୍ସବ ପାଳନ କରୁଛି ଏବଂ ଚଳିତ ବର୍ଷ କିଛି ସ୍ୱତନ୍ତ୍ର ନୂଆ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ମୂର୍ତ୍ତି ନିର୍ମାଣ କରାଯାଇଛି।
ମୂର୍ତ୍ତିର ମୂଳ ଅଂଶ ପାଞ୍ଚଟି ଭିନ୍ନ ଧାତୁ ବ୍ୟବହାର କରି ପିତ୍ତଳରେ ତିଆରି କରାଯାଇଛି। ମୂର୍ତ୍ତି ପଛରେ ଥିବା ତୋରଣ ଭଗବାନ ବିଷ୍ଣୁଙ୍କ ଦଶାବତାରକୁ ଦର୍ଶାଉଛି। ତୋରଣର ଶୀର୍ଷରେ ଭଗବାନ ବାଲାଜୀ ଉପର ଭାଗରେ ବସିଛନ୍ତି। ଦୁଇ ପାର୍ଶ୍ୱରେ ଦେବୀ ଲକ୍ଷ୍ମୀ ଏବଂ ଦେବୀ ସରସ୍ୱତୀ ଅଛନ୍ତି।ମୂର୍ତ୍ତିର ପ୍ରାଥମିକ ଡିଜାଇନ୍ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଇଛି।