ନୂଆଦିଲ୍ଲୀ: ବର୍ଦ୍ଧିତ ମହଙ୍ଗା ମଧ୍ୟରେ ଏବେ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଦେବାକୁ ପଡ଼ିବ। ଅର୍ଥାତ୍ ଆପଣଙ୍କର ୟୁପିଆଇ କାରବାର ଆଉ ସମ୍ପୂର୍ଣ୍ଣ ମାଗଣା ରହିଲା ନାହିଁ। ଏହି ଚାର୍ଜ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଲାଗୁ ହେବ। ସବୁଠାରୁ ବଡ଼ କଥା ହେଉଛି, ଯଦି ଜଣେ ସାଧାରଣ ନାଗରିକ ୨,୦୦୦ ଟଙ୍କାରୁ ଅଧିକ ପେଟ୍ରୋଲ, ବିଜୁଳି ବିଲ୍ କିମ୍ବା ଅନ୍ୟାନ୍ୟ ବିଲ୍ ୟୁପିଆଇ ଜରିଆରେ ପୈଠ କରନ୍ତି, ତେବେ ପ୍ରତି ଲେଣଦେଣ ପିଛା ୫ ଟଙ୍କା ଚାର୍ଜ କାଟିବ। ଭାରତୀୟ ଜାତୀୟ ଦେୟ ନିଗମ (NPCI)ର FAQ ଅନୁଯାୟୀ, ଏହି ନୂତନ ନିୟମ ୨୦୨୬ ଅକ୍ଟୋବର ୧୫ରୁ ଲାଗୁ ହେବ।
ପେଟ୍ରୋଲ, ବିଜୁଳି ଓ ଅନ୍ୟାନ୍ୟ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
କିଛି ଜରୁରୀ ସେବା କ୍ଷେତ୍ରରେ ସାଧାରଣ ୦.୪% ମର୍ଚ୍ଚଣ୍ଟ ଡିସକାଉଣ୍ଟ ରାଟ୍ (MDR) ବଦଳରେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ସର୍ବାଧିକ ୫ ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ୍ ଚାର୍ଜ ଧାର୍ଯ୍ୟ କରାଯାଇଛି। ଏଥିରେ ପେଟ୍ରୋଲ ପମ୍ପ, ଟେଲିକମ୍, ବୀମା ଏବଂ ରେଳବାଇ ଭଳି ବର୍ଗଗୁଡ଼ିକ ସାମିଲ ଅଛନ୍ତି। ଅର୍ଥାତ୍ ଯଦି ଏହି ସେବାଗୁଡ଼ିକର ବିଲ୍ ୨,୦୦୦ ଟଙ୍କାରୁ ଅଧିକ୍ ହୁଏ, ତେବେ ପ୍ରତି ପେମେଣ୍ଟରେ ୫ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ।
ସେହିପରି ବିଜୁଳି, ପାଣି ଏବଂ ପାଇପ୍ ଗ୍ୟାସ୍ ବିଲ୍ ଉପରେ ମଧ୍ୟ ଏହି ୫ ଟଙ୍କା ନିୟମ ଲାଗୁ ହେବ। ଅନ୍ୟପକ୍ଷରେ ମ୍ୟୁଚୁଆଲ୍ ପାଣ୍ଠି ଏବଂ ଷ୍ଟକ୍ ମାର୍କେଟ୍ ସହ ଜଡ଼ିତ ପେମେଣ୍ଟ ପାଇଁ ୦.୦୨% ହାର ରଖାଯାଇଛି, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ। ତେବେ ଅଟୋ-ଡେବିଟ୍ ହେଉଥିବା କିଛି ପେମେଣ୍ଟ ଉପରେ କୌଣସି MDR ଲାଗିବ ନାହିଁ।
ସରକାର ଏହି ନିୟମ କାହିଁକି ବଦଳାଇଲେ?
NPCI ର ସୂଚନା ଅନୁଯାୟୀ, ୟୁପିଆଇ ନେଟୱାର୍କ ଚଳାଇବା, ସର୍ଭର ରକ୍ଷାବେକ୍ଷଣ କରିବା ଏବଂ ଠକେଇ ରୋକିବା ପାଇଁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏପର୍ଯ୍ୟନ୍ତ ସରକାରୀ ସହାୟତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା। କେବଳ ଅଗଷ୍ଟ ୨୦୨୬ ମାସରେ ୟୁପିଆଇ ଜରିଆରେ ପ୍ରାୟ ୨,୪୫୧ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା, ଯାହାର ମୋଟ ମୂଲ୍ୟ ପ୍ରାୟ ୨୯.୯ ଲକ୍ଷ କୋଟି ଟଙ୍କା ରହିଥିଲା।
ଏହି ନିୟମ କେଉଁଠୁ ଆସିଲା?
ସଂସଦର ମୌସୁମୀ ଅଧିବେଶନରେ 'ଟ୍ୟାକ୍ସ ଆଣ୍ଡ ଅଦର୍ସ ଲଜ୍ ଆମେଣ୍ଡମେଣ୍ଟ ବିଲ୍ ୨୦୨୬' ପାସ୍ ହୋଇଥିଲା। ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ସରକାର ଏକ ବିଜ୍ଞପ୍ତି ଜାରି କରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ପେମେଣ୍ଟକୁ ଚାର୍ଜରୁ ଆଇନଗତ ସୁରକ୍ଷା ପ୍ରଦାନ କରିଥିଲେ। ତେବେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ହାର ଧାର୍ଯ୍ୟ କରିବାର ଦାୟିତ୍ୱ ୟୁପିଆଇ ସହ ଜଡ଼ିତ 'ଷ୍ଟିଅରିଂ କମିଟି'କୁ ଦିଆଯାଇଛି।