ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର ଡିଜିଟାଲ୍ ବ୍ୟବସ୍ଥା ବିକଶିତ କରାଯାଉଛି, ଯାହାଫଳରେ ଯେଉଁ ଛୋଟ ବ୍ୟବସାୟୀମାନଙ୍କର ଜିଏସଟି ପଞ୍ଜୀକରଣ ନାହିଁ, ସେମାନେ ମଧ୍ୟ ସହଜରେ ଋଣ ପାଇପାରିବେ।
ୟୁପିଆଇ ଟ୍ରାଞ୍ଜାକ୍ସନ୍ ବା କାରବାର ହେବ ଆଧାର
ସାଧାରଣତଃ ବ୍ୟାଙ୍କରୁ ବ୍ୟବସାୟିକ ଋଣ ପାଇବା ପାଇଁ ଜିଏସଟି ରିଟର୍ଣ୍ଣ ଏବଂ ବିଜନେସ୍ ପ୍ରମାଣ ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବହୁ ଛୋଟ ଦୋକାନୀ କିମ୍ବା ବ୍ୟବସାୟୀଙ୍କ ପାଖାପାଖି ଜିଏସଟି ନମ୍ବର ନଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏସବିଆଇ ଏବେ ଗ୍ରାହକଙ୍କ ୟୁପିଆଇ କାରବାର ତଥ୍ୟକୁ ବ୍ୟବସାୟିକ ବିକ୍ରିର ପ୍ରମାଣ ଭାବେ ବ୍ୟବହାର କରିବ। ଗ୍ରାହକଙ୍କ ସମ୍ମତିକ୍ରମେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ତଥ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ବିକଳ୍ପ ତଥ୍ୟକୁ ଯାଞ୍ଚ କରି ବ୍ୟାଙ୍କ ସେମାନଙ୍କର କ୍ରେଡିଟ୍ ଅର୍ଥାତ୍ ଋଣ ପରିଶୋଧକ୍ଷମତା ଆକଳନ କରିବ।
ଗୋଟିଏ ଦିନ ଭିତରେ ମିଳିବ ଡିଜିଟାଲ୍ ଋଣ
ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ବ୍ୟାଙ୍କ ଗତ ଦେଢ଼ ବର୍ଷ ଭିତରେ ଜିଏସଟି ଏବଂ ପାନ୍ ତଥ୍ୟ ଆଧାରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିସାରିଛି। କିନ୍ତୁ ଯେଉଁ ବ୍ୟବସାୟୀଙ୍କର ଜିଏସଟି ନାହିଁ, ସେମାନଙ୍କ ପାଇଁ ୟୁପିଆଇ ଡାଟା ବେଶ୍ ସହାୟକ ହେବ। ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ମାତ୍ର ଗୋଟିଏ ଦିନ ଭିତରେ ସଂପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।