ଜିଏସଟି କାଉନସିଲର ୫୭ତମ ବୈଠକ ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବ। ଏହା ପୂର୍ବରୁ ଜିଏସଟି କାଉନସିଲର ୫୬ତମ ବୈଠକ ଗତବର୍ଷ ସେପ୍ଟେମ୍ବର ୩ ତାରିଖରେ ହୋଇଥିଲା। ସେହି ବୈଠକରେ ଜିଏସଟି ହାରରେ ପରିବର୍ତ୍ତନ କରାଯାଇ ୧୨ ଓ ୨୮ ପ୍ରତିଶତ ହାରକୁ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ତେବେ ଜିଏସଟି ସହ ଜଡ଼ିତ ଇନପୁଟ ଟ୍ୟାକ୍ସ ରିଟର୍ନକୁ ନେଇ ବ୍ୟବସାୟୀମାନେ ଏବେ ବି ଅନେକ ସମସ୍ୟାର ସାମ୍ନା କରୁଛନ୍ତି।
ସୂତ୍ର ଅନୁସାରେ, ଜିଏସଟି କାଉନସିଲର ଆଗାମୀ ବୈଠକରେ ଜିଏସଟି ରିଟର୍ନକୁ ମଧ୍ୟ ଇନକମ ଟ୍ୟାକ୍ସ ରିଟର୍ନ ପରି ସରଳ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜିଏସଟି ରିଟର୍ନ ପୈଠ କରିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ।
କମିପାରେ ମୋବାଇଲ ଫୋନ ଉପରେ ଜିଏସଟି:
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ରେ ହେବାକୁ ଥିବା ବୈଠକରେ ମୋବାଇଲ ହ୍ୟାଣ୍ଡସେଟ ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସଟିକୁ କମାଇବା ନେଇ ବିଚାର କରାଯାଇପାରେ। ଗତ ଗୋଟିଏ ବର୍ଷ ମଧ୍ୟରେ ଚିପ ମେମୋରୀର ମୂଲ୍ୟ ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବା ଯୋଗୁଁ ମୋବାଇଲ ହ୍ୟାଣ୍ଡସେଟର ଦାମ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି, ଯାହା ଫଳରେ ମୋବାଇଲ ବିକ୍ରି ପ୍ରଭାବିତ ହେଉଛି।
ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ମୋବାଇଲ ଫୋନର ଦାମ କମ କରିବା ପାଇଁ ମୋବାଇଲ ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀଗୁଡ଼ିକ ୧୮ ପ୍ରତିଶତ ଜିଏସଟିକୁ ହ୍ରାସ କରି ୫ ପ୍ରତିଶତ କରିବାକୁ ଦାବି କରିଛନ୍ତି।