ମୁମ୍ବାଇ: ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍ ଚନ୍ଦ୍ରଶେକରନ ଇସ୍ତଫା ଦେଇଛନ୍ତି । ଆଗକୁ କମ୍ପାନୀର ବାର୍ଷିକା ସାଧାରଣ ବୈଠକ ବା ଏଜିଏମ୍ ଥିବାବେଳେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କ ସହିତ ବିବାଦ କାରଣରୁ ଚନ୍ଦ୍ରଶେକରନ ଇସ୍ତଫା ଦେଇଥିବା କୁହାଯାଉଛି ।
ଟାଟା ଗ୍ରୁପ ସହିତ ଚନ୍ଦ୍ରଶେକରନଙ୍କ ଦୀର୍ଘ ୪୦ ବର୍ଷର ସମ୍ପର୍କ ରହିଛି । ଏଥିପାଇଁ ସେ କମ୍ପାନୀକୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଚନ୍ଦ୍ରଶେକରନ ୨୦୧୭ରୁ ଟାଟା ସନ୍ସର ଚେୟାରମ୍ୟାନ ଭାବେ କାର୍ଯ୍ୟକରୁଥଲେ । ୨୦୦୨ରେ ତାଙ୍କର କାର୍ଯ୍ୟକାଳକୁ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଥିଲା । ୨୦୨୭ ଫେବୃଆରୀ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।
ଟାଟା ସନ୍ସରେ ଟାଟା ଟ୍ରଷ୍ଟର ଅଂଶଧନ ୬୬ ପ୍ରତିଶତ ରହିଛି । ଟାଟା ସନ୍ସର ଅଂଶଧନକୁ ନେଇ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନୋଏଲ୍ ଟାଟାଙ୍କ ସହିତ ତାଙ୍କର ମତଭେଦ କାରଣରୁ ସେ ନିଜର ପଦ ଛାଡ଼ିଥିବା ଚର୍ଚ୍ଚା ହେଉଛି । ଅଧ୍ୟକ୍ଷ ନୋଏଲ ଟାଟାଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନେ ଚନ୍ଦ୍ରଶେକରନଙ୍କୁ ନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତ କରିବା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଭାବରେ ତାଙ୍କର କାର୍ଯ୍ୟକାଳ ନବୀକରଣ କରିବା ବିରୁଦ୍ଧରେ ଅନୌପଚାରିକ ଭାବରେ ନିଷ୍ପତ୍ତି ନେଇଥିଲେ । କିନ୍ତୁ କିଛି ଅଂଶୀଦାର ତାଙ୍କୁ ଟାଟା ସନ୍ସର ନିର୍ଦ୍ଦେଶକଭାବେ ପୁନଃ ଅବସ୍ଥାପିତ କରିବାକୁ ଚାହୁଁଥିଲେ । ଆସନ୍ତା ଅଗଷ୍ଟ ୧୮ରେ ଟାଟା ଟ୍ରଷ୍ଟର ବାର୍ଷିକ ସାଧାରଣ ବୈଠକରେ ତାଙ୍କର କାର୍ଯ୍ୟକାଳ ନବୀକରଣ କରାଯିବ କି ନାହିଁ ନିଷ୍ପତ୍ତିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥାଆନ୍ତା । କିନ୍ତୁ ଏହା ପୂର୍ବରୁ ଚନ୍ଦ୍ରଶେକରନ ନିଜ ପଦ ଛାଡ଼ିଛନ୍ତି ।
ଆସନ୍ତା ୬ ମାସ ମଧ୍ୟରେ ଟାଟା ସନ୍ସକୁ ନିଜର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ପଡ଼ିବ । ସେପଟେ ଚନ୍ଦ୍ରଶେକନ ମୂଳ କମ୍ପାନୀ ଟାଟା ଗ୍ରୁପ ସହିତ ନିଜ କାମ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କୁ ଟାଟା ସନ୍ସରେ ଆଉ ପୁନଃଅବସ୍ଥାପିତ କରାଯିବ ନାହିଁ । ଚନ୍ଦ୍ରଶେଖରନ୍ ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଟିସିଏସ୍ ଏବଂ ଇଣ୍ଡିଆନ୍ ହୋଟେଲ୍ସ ଭଳି ଅନେକ ପ୍ରମୁଖ ଟାଟା ଗ୍ରୁପ୍ କମ୍ପାନୀର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।