ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚମକିଲା ଓଡ଼ିଶାର କଳା, ସଂସ୍କୃତି ଓ ଗ୍ରାମୀଣ କାରିଗରଙ୍କ ନିଆରା କାରିଗରୀ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ Odisha Rural Development and Marketing Society (ORMAS) ପକ୍ଷରୁ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପପ୍-ଅପ୍ ଷ୍ଟୋର ଖୋଲାଯାଇଛି।
ସାକେତର ଲୋକପ୍ରିୟ DLF Avenueରେ ଏହି ସ୍ୱତନ୍ତ୍ର ଷ୍ଟୋର ଅଗଷ୍ଟ ୧୧ରୁ ସେପ୍ଟେମ୍ବର ୧୦ ଯାଏଁ ଏକ ମାସ ଧରି ଚାଲିବ। ଅଗଷ୍ଟ ୧୧ ସନ୍ଧ୍ୟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଭାଗର କମିଶନର-କମ୍-ସଚିବ ଗିରିଶ ଏସ୍.ଏନ୍, IAS, ORMASର CEO ଡ. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।
ଷ୍ଟୋରରେ ଓଡ଼ିଶାର ୧୪ଟି ଜିଲ୍ଲାର ୩୦ରୁ ଅଧିକ ପାରମ୍ପରିକ ଓ ପ୍ରସିଦ୍ଧ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ସମ୍ବଲପୁରୀ ଇକତ, ସମ୍ବଲପୁରୀ ଓ ହବାସପୁରୀ ସିଲ୍କ, କୋଟପାଡ଼ ବୁଣାକାମ, ପଟ୍ଟଚିତ୍ର, ତସର ସିଲ୍କ ଏବଂ ଖଣ୍ଡୁଆ ପାଟ ଭଳି ଆକର୍ଷଣୀୟ ସାମଗ୍ରୀ ଏଠାରେ ଉପଲବ୍ଧ ରହିଛି। ଏହାସହ ସମ୍ବଲପୁରୀ ପାରମ୍ପରିକ ଅଳଙ୍କାର ଓ ଡୋକ୍ରା ଧାତୁଶିଳ୍ପ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି।ଏହି ପପ୍-ଅପ୍ ଷ୍ଟୋର କେବଳ ବିକ୍ରି ପାଇଁ ନୁହେଁ, ବରଂ ଗ୍ରାମୀଣ କାରିଗର, ବୁଣାକାର ଓ Community-Based Organisationsଙ୍କ ପାଇଁ ଏକ ବଡ଼ ବଜାର ସୁଯୋଗ। ଦିଲ୍ଲୀ ଭଳି ବଡ଼ ବଜାରରେ ସେମାନଙ୍କୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ମିଳୁଛି।