ନୂଆଦିଲ୍ଲୀ: ଆଜି ଓଡ଼ିଶାର ଆରକ୍ଷୀ ମହାନିର୍ଦ୍ଦେଶକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ । ରାଜ୍ୟ ସରକାର ଡିଜିପି ଚୟନରେ ନିୟମ ଉଲ୍ଲଂଘନ କରୁଥିବେ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାର ଭି. ମୋହନାଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।
ଗତ ସୋମବାର ରାଜ୍ୟରେ ଦୁଇ ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି କରିଥିଲେ । ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେବା ବିବାଦ ଆରମ୍ଭ ହୋଇଥିଲା । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ପ୍ରଥମେ ଆଗରେ ଥିଲା। ଏହାରି ମଧ୍ୟରେ ଆଇପିଏସ୍ ସୁଶାନ୍ତ ନାଥଙ୍କୁ ହଟାଇ ତରବରିଆ ଭାବେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କ ନାମକୁ ସୁପାରିଶ କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।
ପି ଚିଦାମ୍ବରମ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ଏକ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରିଛନ୍ତି । ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜିପି ପଦ ପାଇଁ ମନୋନୀତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ । ୨୦୦୬ ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶକୁ ଦଳି ଦିଆଯାଇଛି । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କହିଛନ୍ତି, କେବଳ ୟୁପିଏସ୍ସି ଦ୍ୱାରା ସୁପାରିସ ୩ ଜଣ ବରିଷ୍ଠ ଡିଜି ପାହ୍ୟା ଅଫିସରଙ୍କ ମଧ୍ୟରୁ ହିଁ ସରକାର ଡିଜିପି ଚୟନ କରିପାରିବେ ।
ଆସନ୍ତାକାଲି ୟୁପିଏସସି ଚୟନ କମିଟି ୩ ଜଣ ବରିଷ୍ଠ ଆଇପିଏସଙ୍କ ନାମ ପ୍ରସ୍ତାବ ଦେବେ । ରାଜ୍ୟ ସରକାର ଜଣଙ୍କ ନାମରେ ମୋହର ମାରିବେ ।