ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏହି ବୈଠକରେ ୯ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିବେ ବୋଲି ଆଶା କରାଯାଉଛି।
ଚଳିତ କ୍ୟାବିନେଟ୍ ବୈଠକରେ ରାଜସ୍ୱ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପଞ୍ଚାୟତିରାଜ, ସ୍କୁଲ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ଭଳି ପ୍ରମୁଖ ବିଭାଗର ଏକାଧିକ ପ୍ରସ୍ତାବ ଉପସ୍ଥାପିତ ହେବାର କାର୍ଯ୍ୟସୂଚୀ ରହିଛି। ବିଶେଷ କରି ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ସରକାର ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୨୫ଟି ଲେଖାଏଁ ନୂତନ ପ୍ରକଳ୍ପ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏନେଇ କିଛି ବଡ଼ ନୀତିଗତ ନିଷ୍ପତ୍ତି ନିଆଯାଇପାରେ।
ସରକାରଙ୍କ ପ୍ରାଥମିକତା ତାଲିକାରେ କୃଷକ କଲ୍ୟାଣ, ଇନପୁଟ୍ ସବସିଡି ପ୍ରଦାନ, ମହିଳା ସଶକ୍ତିକରଣକୁ ନେଇ ଆସିଥିବା 'ସୁଭଦ୍ରା' ଯୋଜନା, ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଭଳି ଜନକଲ୍ୟାଣକାରୀ ପ୍ରସଙ୍ଗ ରହିଛି। ତେଣୁ ଆଜିର କ୍ୟାବିନେଟ୍ ବୈଠକରୁ ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଏବଂ ଆଶ୍ୱତିକର ଘୋଷଣା କରାଯିବାର ସମ୍ଭାବନା ରହିଛି।
Also Read: ଓଡ଼ିଶାରେ ଲଘୁଚାପ ପ୍ରଭାବ: ୧୭ ତାରିଖ ଯାଏଁ ଲାଗିରହିବ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି