ମୟୂରଭଞ୍ଜ : ଅସମ୍ପୂର୍ଣ୍ଣ ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଅସମ୍ପୂର୍ଣ୍ଣ ଆବାସ ଗୃହ ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ବାଢୁଣିଆ ଗାଁର ପ୍ରାୟ ୪୦ ବର୍ଷୀୟ ଶିରିଶ ପଟେଲ (ମାଳୀ)। ସୋମବାର ରାତିରେ କୌଣସି କାରଣରୁ କେହି ଦୁର୍ବୃତ୍ତ ତାଙ୍କୁ କୌଣସି ଅସ୍ତ୍ର ସାହାଯ୍ୟରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ ଆଜି (ମଙ୍ଗଳବାର) ସକାଳୁ ଗାଁ ଲୋକେ ଅସମ୍ପୂର୍ଣ୍ଣ ଆବାସ ଗୃହ ଭିତରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଦେଖି ବିଶୋଇ ଥାନା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବିଶୋଇ ଥାନା ଆଇଆଇସି ସୁବର୍ଣ୍ଣ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏଥି ସହ ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ଏସପି ସୁରେଶ ଚନ୍ଦ୍ର ପାତ୍ର, ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ବିଶୋଇ ଥାନା ପୋଲିସ କେସ୍ ନମ୍ବର ୧୭୮/୨୬ ରେ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ଯା ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି।
ତେବେ ମୃତକ ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖା ଦେଇଥିବା ବେଳେ ଘଟଣାଟିକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।