ଭୁବନେଶ୍ୱର: ଫେସବୁକ୍ ମାର୍କେଟପ୍ଲେସ୍ରେ ଗାଡ଼ି ବିକ୍ରି ନାଁରେ ସାଇବର ଠକେଇ। ଜଣେ ଗ୍ରାହକଙ୍କଠାରୁ ହୁଣ୍ଡାଇ i20 ଗାଡ଼ି ଦେବାକୁ କହି ୩.୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ସାଇବର କ୍ରାଇମ୍ ପୋଲିସ୍ ଷ୍ଟେସନ୍।
ଗିରଫ ଅଭିଯୁକ୍ତ ହେଲେ ରିଙ୍କୁ ଓରଫ ସୁବେନ୍ଦ୍ର ରାଉତ। ସେ ନିଜକୁ ଫାଇନାନ୍ସ ଡିଫଲ୍ଟ ଗାଡ଼ିର ରିକଭରି ଏଜେଣ୍ଟ ଭାବେ ପରିଚୟ ଦେଇ ଜଣେ ସମ୍ଭାବ୍ୟ କ୍ରେତାଙ୍କୁ ହୁଣ୍ଡାଇ i20 ବିକ୍ରି କରିବାକୁ କହିଥିଲେ। ଗାଡ଼ିଟି କମ୍ ଦାମରେ ମିଳିବ ବୋଲି ଲୋଭ ଦେଖାଇ ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ଓ ବ୍ୟାଙ୍କ ଟ୍ରାନ୍ସଫର୍ ମାଧ୍ୟମରେ ମୋଟ ୩.୮ ଲକ୍ଷ ଟଙ୍କା ନେଇଥିଲେ।
ଟଙ୍କା ନେବା ପରେ ମଧ୍ୟ ଗାଡ଼ି ଦିଆଯାଇନଥିଲା। ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ଯେଉଁ ଗାଡ଼ି ବିକ୍ରି କରାଯିବ ବୋଲି କୁହାଯାଇଥିଲା, ତାହା ଷ୍ଟକ୍ୟାର୍ଡରେ ପଡ଼ି ରହିଥିଲା। ଏନେଇ ସାଇବର କ୍ରାଇମ୍ ପୋଲିସ୍ ଷ୍ଟେସନ୍ରେ ୧୦ ଅଗଷ୍ଟ ୨୦୨୬ରେ କେସ୍ ନମ୍ବର ୧୮ ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (BNS) ଏବଂ IT Act, 2000ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତକାରୀ ଅଧିକାରୀମାନେ ଡିଜିଟାଲ୍ ଏବଂ ଆର୍ଥିକ କାରବାର ସମ୍ପର୍କିତ ପ୍ରମାଣକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଶେଷରେ ୧୧ ଅଗଷ୍ଟରେ ରିଙ୍କୁ ଓରଫ ସୁବେନ୍ଦ୍ର ରାଉତଙ୍କୁ ଗିରଫ କରାଯାଇଛି। ଏହି ଠକେଇରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଟଙ୍କା କେଉଁଆଡ଼େ ଯାଇଛି, ସେନେଇ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଠକେଇରେ ବ୍ୟବହୃତ ଗାଡ଼ିର ବୀମା ଓ PUCକୁ ନେଇ କିଛି ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ଗାଡ଼ିର IFFCO Tokio ବୀମା ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ବୈଧ ରହିଛି। ସେହିପରି ଏହାର PUC ସାର୍ଟିଫିକେଟ୍ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବୈଧ ଅଛି।
କ୍ରାଇମବ୍ରାଞ୍ଚ ଲୋକଙ୍କୁ ସତର୍କ କରି କହିଛି, ଫେସବୁକ୍ ମାର୍କେଟପ୍ଲେସ୍ କିମ୍ବା ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଗାଡ଼ି କିଣିବା ପୂର୍ବରୁ ବିକ୍ରେତାଙ୍କ ପରିଚୟ, ଗାଡ଼ିର ମାଲିକାନା ଦଲିଲ, RC, ବୀମା ଓ PUC ଭଲଭାବେ ଯାଞ୍ଚ କରନ୍ତୁ। ଯାଞ୍ଚ ନକରି ଅଗ୍ରୀମ ଟଙ୍କା ପଠାଇବାରୁ ଦୂରେଇ ରୁହନ୍ତୁ।
ସାଇବର ଠକେଇର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ରେ ଯୋଗାଯୋଗ କରିବା ସହ cybercrime.gov.inରେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି।