ପୁରୀ: ବୁଧବାର ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ। ଚିତାଲାଗି ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ କରାଯିବାକୁ ଥିବାରୁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।
ଚିତାଲାଗି ଅମାବାସ୍ୟାକୁ ଚିତାଉ ଅମାବାସ୍ୟା ମଧ୍ୟ କୁହାଯାଏ। ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପାରମ୍ପରିକ ଓଡ଼ିଆ ପର୍ବର ରହିଛି ବିଶେଷ ଧାର୍ମିକ ମହତ୍ତ୍ୱ। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ମସ୍ତକରେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ।
ରଥଯାତ୍ରା ପୂର୍ବରୁ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ମସ୍ତକରୁ ଏହି ସୁବର୍ଣ୍ଣ ଚିତା ଖୋଲାଯାଇଥାଏ। ପରେ ଚିତାଲାଗି ଅମାବାସ୍ୟା ଦିନ ପୁଣି ଥରେ ବିଧିବିଧାନ ଅନୁସାରେ ମହାପ୍ରଭୁଙ୍କ ସମେତ ତିନି ଠାକୁରଙ୍କ ମସ୍ତକରେ ଚିତା ଲାଗି କରାଯାଏ। ତେଣୁ ନୀତିକାନ୍ତିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଅଗଷ୍ଟ ୧୨ରେ ଅପରାହ୍ନ ୨ଟାରୁ ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।
ଏହି ପର୍ବ ସହ ଓଡ଼ିଆ ଘରର ପାରମ୍ପରିକ ପିଠା ଚିତାଉ ପିଠାର ମଧ୍ୟ ରହିଛି ଗଭୀର ସମ୍ପର୍କ। ଚାଉଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ପିଠା ଚିତାଲାଗି ଅମାବାସ୍ୟା ଅବସରରେ ଓଡ଼ିଶାର ଅନେକ ଘରେ ପ୍ରସ୍ତୁତ କରାଯାଏ।