ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୌସୁମୀ। ଏହାରି ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ପାଇଁ ଆସିଛି ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ଆଲର୍ଟ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସକାଳ ୧୦ଟା ୩୦ରେ ଏହି ନୋକାଷ୍ଟ ଚେତାବନୀ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପାଣିପାଗରେ ହଠାତ୍ ପରିବର୍ତ୍ତନ ହେଲେ ନିଜ ସୁରକ୍ଷା ପାଇଁ ସେହି ଅନୁସାରେ ଯୋଜନା କରିବାକୁ କୁହାଯାଇଛି।
ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିପାରେ। ତେଣୁ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହିବାକୁ ଭାରତୀୟ ପାଣିପାଗ ବିଭାଗ (IMD) ପରାମର୍ଶ ଦେଇଛି।ବିଶେଷକରି ଚାଷୀ, ଶ୍ରମିକ ଓ ବାହାରେ କାମ କରୁଥିବା ଲୋକମାନେ ଆକାଶର ପରିସ୍ଥିତି ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।