ଭୁବନେଶ୍ୱର: ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇ ସାରିଛି । ୨୦୨୬-୨୭ ଶିକ୍ଷା ବର୍ଷର ପାଠ ପଢ଼ା ଆରମ୍ଭ ହେବା ପୂର୍ବରୁ ବିଭିନ୍ନ କମିଟିକୁ ସକ୍ରିୟ ଏବଂ ପୁନର୍ଗଠନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟକୁ ରେଜିଷ୍ଟ୍ରାର ଏବଂ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଉଚ୍ଚ ଶିକ୍ଷା ବିଭାଗ, ପାଠ ପଢ଼ା ଆରମ୍ଭ ହେବା ପୂର୍ବରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରରେ ଛାତ୍ରଙ୍କ ସୁରକ୍ଷା, ରାଗିଂ ଓ ଯୌନ ଉତ୍ପୀଡ଼ନକୁ ରୋକିବା ଏବଂ ଅଭିଯୋଗର ସମାଧାନ ପାଇଁ ଉଦ୍ଦିଷ୍ଟ କମିଟି କିମ୍ବା ସେଲକୁ ସକ୍ରିୟା ଓ ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶନାମା ଅନୁସାରେ ଆଣ୍ଟି-ରାଗିଂ କମିଟି, ଆଣ୍ଟି-ରାଗିଂ ସ୍କ୍ୱାଡ୍ ଏବଂ ମନିଟରିଂ ସେଲକୁ ସକ୍ରିୟ କିମ୍ବା ପୁନର୍ଗଠନ କରାଯିବ । ତତସହିତ ମହିଳା କର୍ମଚାରୀ କିମ୍ବା ଛାତ୍ରୀଙ୍କ ପାଇଁ ଯୌନ ଉତ୍ପୀଡ଼ନ ନିରୋଧ ଆଇନ ଅନୁଯାୟୀ ଆଭ୍ୟନ୍ତରୀଣ କମିଟି ଗଠନ କିମ୍ବା ପୁନର୍ଗଠନ କରାଯିବ । ସେହିପରି ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଅଭିଯୋଗ ଅଭିଯୋଗ ସମାଧାନ କମିଟି, ଛାତ୍ର ସେବା କେନ୍ଦ୍ର ଏବଂ ମାନସିକ ସ୍ୱାସ୍ଥ୍ୟ ଓ କାଉନସେଲିଂ ବ୍ୟବସ୍ଥାକୁ ପୁଣି ଥରେ ସକ୍ରିୟ କରିବାକୁ ବିଭାଗ ଚିଠିରେ ଉଲ୍ଲେଖ କରିଛି ।
ବିଭିନ୍ନ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟାପକ ବା ନୋଡାଲ୍ ଅଫିସର ବା କମିଟି ସଦସ୍ୟଙ୍କ ବଦଳି, ଅବସର କିମ୍ବା ଅନ୍ୟ କାରଣରୁ ଖାଲି ରହିଛି । ଯେଉଁଥିପାଇଁ କମିଟିଗୁଡ଼ିକରେ ମଧ୍ୟ ବିଭିନ୍ନ ପଦବୀ ଖାଲି ରହିଛି । ତେଣୁ କମିଟିଗୁଡ଼ିକୁ ପୁନର୍ଗଠନ କରାଯିବ । ସେଥିପାଇଁ ଯୋଗ୍ୟ ସଦସ୍ୟଙ୍କ ନାମ ତୁରନ୍ତ ସୁପାରିଶ କରି ଚୟନ କରାଯିବ । ସେହିପରି ଯେଉଁଠାରେ କମିଟି ଗଠନ ହୋଇନାହିଁ ୟୁଜିସିର ଆଇନ ଅନୁସାରେ ତୁରନ୍ତ କମିଟି ଗଠନ କରିବାକୁ କୁହାଯାଇଛି । କମିଟି ପୁନର୍ଗଠନ କରାଯିବା ପରେ ତୁରନ୍ତ କମିଟି ସଦସ୍ୟଙ୍କ ନାମ, ପଦବୀ, କାର୍ଯ୍ୟ, ମୋବାଇଲ୍ ନମ୍ବର, ଅଫିସ୍ ଇମେଲ୍ ଠିକଣା ଓ କାର୍ଯ୍ୟକାଳର ତାଲିକା ଜାରି କରାଯିବ । ସମସ୍ତେ ତ୍ୱରିତ ପଦକ୍ଷେପ ସ୍ୱରୂପ ଏହାକୁ ଏଚ୍ଆଇ.ଏମ୍ ପୋର୍ଟାଲରେ ଅପଡେଟ୍ କରିବେ ।