ଭୁବନେଶ୍ୱର: ଫିଟନେସ୍ ଯାଞ୍ଚ ପରେ ଏବେ ରାଜ୍ୟରେ ବିନା ବୀମା (Insurance)ରେ ଚାଲୁଥିବା ଯାନବାହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପରିବହନ ବିଭାଗ। ଯେଉଁସବୁ ଗାଡ଼ିର ବୈଧ ବୀମା ନଥିବ ଏବଂ ବାରମ୍ବାର ଜରିମାନା କଟୁଥିଲେ ମଧ୍ୟ ବୀମା କରାଯାଉନଥିବ, ସେହି ଗାଡ଼ିଗୁଡ଼ିକୁ ସିଧାସଳଖ ଜବତ କରାଯିବ ବୋଲି ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୧ କୋଟି ୧ ଲକ୍ଷରୁ ଅଧିକ ଗାଡ଼ି ପଞ୍ଜୀକୃତ ହୋଇଥିବା ବେଳେ ଏବେ ବି ପ୍ରାୟ ୬୫ ଲକ୍ଷ ୭୩ ହଜାରରୁ ଅଧିକ ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି। ନିକଟରେ ସୁପ୍ରିମକୋର୍ଟ ବୈଧ ବୀମା ନଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯେଉଁ ଗାଡ଼ିର ବୀମା ନଥିବ,ସେମାନଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ନଦେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମତ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି କଡ଼ା ଆଦେଶ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଜ୍ୟରେ ଏଭଳି ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିପରି ହେବ ଯାଞ୍ଚ ?
ରାଜ୍ୟର ସମସ୍ତ ଟୋଲଗେଟ୍ରେ ଇ-ଡିଟେକ୍ସନ ମାଧ୍ୟମରେ ଯାତାାୟତ କରୁଥିବା ଗାଡ଼ିଗୁଡ଼ିକର ବୀମା, ଫିଟନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ର ସ୍ୱୟଂକ୍ରିୟ ଭାବେ ଯାଞ୍ଚ କରାଯିବ। କାଗଜପତ୍ର ଠିକ୍ ନଥିଲେ ସଙ୍ଗେ ସଙ୍ଗେ ଇ-ଚାଲାଣ କଟାଯିବା ସହ ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ରଦ୍ଦ ଓ ଗାଡ଼ି ଜବତ କରାଯିବ। ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO)ଙ୍କୁ ଚଢ଼ଉ ଜୋରଦାର କରିବା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପରିବହନ ବିଭାଗ ପକ୍ଷରୁ ସମସ୍ତ ଗାଡ଼ି ମାଳିକଙ୍କୁ ପରାମର୍ଶ ଦିଆଯାଇଛି ଯେ, ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଏବଂ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ନିଜ ଯାନର ବୀମା ଓ ଅନ୍ୟାନ୍ୟ କାଗଜପତ୍ର ନବୀକରଣ କରିନିଅନ୍ତୁ।
Also Read: ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଫୁଲିବ ମହାନଦୀ