ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଲ୍ଡରଙ୍କ ଘରୁ ପ୍ରାୟ ୨ କୋଟି ଟଙ୍କାର ସୁନା ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି।
ସୂଚନା ଅନୁସାରେ, ଗତ ଜୁଲାଇ ୩୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏହି ବଡ଼ଧରଣର ଲୁଟ୍ ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଜଣେ ବିଲ୍ଡରଙ୍କ ଘରକୁ ଟାର୍ଗେଟ୍ କରିଥିଲେ ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଆଲମାରି ଓ ଅନ୍ୟ ସ୍ଥାନରେ ଥିବା ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଥିଲେ।
ଏହି ଲୁଟ୍ରେ ପ୍ରାୟ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଟଙ୍କା ନଗଦ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।
ଏବେ ତଦନ୍ତରେ ସଫଳତା ମିଳିଛି। ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଛି। ତାଙ୍କ ନିକଟରୁ ଚୋରି ହୋଇଥିବା ବହୁ ସାମଗ୍ରୀ ଜବତ କରାଯାଇଛି। ଲୁଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଲୁଟ୍ ସାମଗ୍ରୀ ଉଦ୍ଧାର ହୋଇଛି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।