ଜଳେଶ୍ୱର : ଭାରସାମ୍ୟ ହରାଇ ଓଲଟିଲା ମଜୁରୀ ବୋଝେଇ ପିକ୍ଅପ୍ ଭ୍ୟାନ୍ ,ଆହତ ହେଲେ ୧୫ଜଣ ଶ୍ରମିକ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ରାଜପଥ–୫୭ନମ୍ବର ତାଳବଣିଆ ଛକ ନିକଟରେ ଏକ ପିକ୍ଅପ୍ ଗାଡ଼ିରେ ୬୦ରୁ ଅଧିକ ଶ୍ରମିକ କାମ ସାରି ଘରକୁ ଫେରୁଥିଲେ। ଅତ୍ୟଧିକ ଯାତ୍ରୀ ବୋଝେଇ ହୋଇଥିବାରୁ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।
ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ଖବର ପାଇ ନାମ୍ପୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଯାତାୟାତ ସ୍ୱାଭାବିକ କରିଥିଲେ। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ପିକ୍ଅପ୍ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି। ପ୍ରାଥମିକ ତଦନ୍ତରୁ ଗାଡ଼ିଟି ମୟୁରଭଞ୍ଜ ଜିଲ୍ଲାରେ ପଞ୍ଜିକୃତ ବୋଲି ଜଣାପଡ଼ିଛି।
ଗାଡ଼ିରେ କ୍ଷମତାଠାରୁ ଅଧିକ ଶ୍ରମିକଙ୍କୁ କାହିଁକି ବୋଝେଇ ନିଆଯାଉଥିଲା ଏବଂ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଶ୍ରମିକ ପରିବହନରେ ସୁରକ୍ଷା ନିୟମ ପାଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।