କେନ୍ଦ୍ରାପଡ଼ା ଜିଲ୍ଲା ଟିକିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଚାଲୁଥିବା ଅନାସ୍ଥା ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ ଫଳ ଘୋଷଣା ହୋଇ ପାରିବନାହିଁ ବୋଲି ହାଇକୋର୍ଟ କହିଛନ୍ତି।ଚାମେଲିଙ୍କ ବିରୋଧରେ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ଚାମେଲିଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ।
ସୂଚନା ଥାଉକି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଏହାକୁ ଚାଲେଞ୍ଜ କରି ସରପଞ୍ଚ ଚାମେଲି ଓଝା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନିର୍ବାଚନ ପ୍ରକ୍ରିୟା ଜାରି ରହିବ, କିନ୍ତୁ ଏହାର ଫଳାଫଳ ତୁରନ୍ତ ଘୋଷଣା କରାଯିବ ନାହିଁ।
ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା ଅନୁମତି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ରହିଛି।
ଗତ ଜୁନ ୧୧ରେ ମହାକାଳପଡ଼ା ବ୍ଲକ ଅଫିସରେ ଉନ୍ନୟନ କାର୍ଯ୍ୟ ଆଲୋଚନା ସମୟରେ କେତେକ ବ୍ୟକ୍ତି ଚାମେଲିଙ୍କୁ ବାଧା ଦେଇଥିଲେ ଓ ଧମକ ବି ଦେଇଥିଲେ। ସେ ଭିଡିଓ ରେକର୍ଡ କରିବାରୁ ପୋଲିସ ଗାଡ଼ିରେ ମାଡ଼ ଖାଇଥିବା ଅଭିଯୋଗ ବି ହୋଇଥିଲା। ମହାକାଳପଡ଼ା ପୋଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ସେ ଅନଶନରେ ବସିଥିଲେ। ଏତିକି ନୁହେଁ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।