ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ସ୍ୱାଧୀନତା ଦିବସ ଉପଲକ୍ଷେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ତତସହିତ ପାର୍କିଂ ସ୍ଥାନ ରଖାଯାଇଥିବାବେଳେ ଗ୍ୟାସ୍ ବେଲୁନ୍ ବିକ୍ରୟ ଉପରେ କଟକଣା ଜାରି କରାଯାଇଛି । ସ୍ଵାଧୀନତା ଦିବସ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ପି.ଏମ.ଜି. ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ ।
ଏଥିପାଇଁ ଆସନ୍ତା ୧୧ ଓ ୧୨ ତାରିଖ ଅପରାହ୍ନ ୨.୩୦ ମିନିଟ୍ ଠାରୁ ୬ ଘଟିକା ପର୍ଯ୍ୟନ୍ତ ଅଭ୍ୟାସ ପରେଡ୍ କରାଯିବ । ସେହିପରି ଅଗଷ୍ଟ ୧୩ ତାରିଖ ସକାଳ ୮.୩୦ ମିନିଟ୍ ଠାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୧୫ ଦିନ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପରେଡ୍ ସକାଳ ୬ ଘଟିକାଠାରୁ ଆରମ୍ଭ ହେବ । ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଟ୍ରାଫିକ୍ ପୋଲିସ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ମାର୍ଗ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେଉଁ ପଟେ ଯିବେ
ଅଭ୍ୟାସ ପରେଡ୍ ଏବଂ ପୂର୍ଣ୍ଣ ପରେଡ୍ ସମୟରେ କୌଣସି ପ୍ରକାର ଭାରୀଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଯିବାକୁ ଦିଆଯିବ ନାହିଁ ।
କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବେ କିନ୍ତୁ ପି.ଏମ.ଜି. ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ ।
ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାତାୟତ କରିପାରିବେ ।
ସେହିପରି ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟକୁ ଯିବେ ।
୧୨୦ ବାଟାଲିୟନ୍ ଛକରୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଏମ୍.ଏଲ୍.ଏ. କଲୋନୀ ରାସ୍ତା ଦେଇ ୟୁନିଟ୍ -୪ ନମ୍ବର ଆଡ଼କୁ ଯିବେ ।
ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ ଗୁଡ଼ିକରେ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ପଦଚାରୀ ମାନେ ଚାଲିକରି ମହାତ୍ମା ଗାନ୍ଧୀ ମାର୍ଗକୁ ଆସିପାରିବେ ।
ସେହିପରି ଗାଡ଼ି ରଖିବା ପାଇଁ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ରହିଛି ।
ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ
ରେଳଷ୍ଟେସନ ପାଖ ବି.ଡ଼ି.ଏ. ବସଷ୍ଟାଣ୍ଡ ।
କଂଗ୍ରେସ ଭବନ ପାଖ ଖୋଲା ସ୍ଥାନ ।
ଇଡକ୍ଟଲ୍ ଅଡିଟୋରିୟମ୍ ପାଖ ଖୋଲା ସ୍ଥାନ ।
ଜୟଦେବ ଭବନ ସାମ୍ନାରେ ଥିବା ଖୋଲା ସ୍ଥାନ ।
ୟୁନିଟ୍-୩ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଥିବା ଖୋଲା ସ୍ଥାନ ।
ରବିନ୍ଦ୍ରମଣ୍ଡପ ହତା ଭିତର ଖୋଲା ସ୍ଥାନ ।
ୟୁନିଟ୍-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ।
ଏହି ସବୁ ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ସର୍ବନିମ୍ନ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ।