କଟକ: ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ସମ୍ବଲପୁର ଜିଲ୍ଲାର ମାନ୍ୟବର ଜେଏମଏଫସି ଅଦାଲତ ଅଭିଯୁକ୍ତ ଗୌରୀ ଶଙ୍କର ଦାଶ (୩୨) ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ତଦନ୍ତ ସମୟରେ, ଅଭିଯୁକ୍ତ ଗୌରୀ ଶଙ୍କର କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି ନାସନାଲ୍ ସାଇବର୍ କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (NCRP) ମାଧ୍ୟମରେ ଚିହ୍ନଟ ହୋଇଥିଲା। ଉକ୍ତ ଆକାଉଣ୍ଟକୁ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ବିପୁଳ ଟଙ୍କା ଆସିଥିଲା । ଆକାଣ୍ଟକୁ ୯,୦୦୦ ଟଙ୍କା, ୧୧,୫୦୦ଟଙ୍କା, ୯,୦୦୦ ଟଙ୍କା ଏବଂ ୪,୦୫୦ଟଙ୍କା ଅର୍ଥାତ୍ ମୋଟ ୩୩ ହଜା ୫୫୦ ଟଙ୍କା ଜମା ହୋଇଥିଲା । ପୋଲିସ ତଦନ୍ତ ସମୟରେ ଉକ୍ତ ଅର୍ଥରାଶି ଗ୍ରହଣ କରିବା ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିବା ସମ୍ପର୍କରେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ମାର୍ଚ୍ଚ ୨ରେ ଏ ସମ୍ପର୍କରେ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହୋଇଥିବା ଦିନ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୮ ଏପ୍ରିଲ ରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିସହ ବ୍ୟାଙ୍କ ରେକର୍ଡ, ଜବତ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଦାଖଲ କରାଯାଇଥିଲା। ଉପଲବ୍ଧ ସାକ୍ଷ୍ୟ ଓ ଦସ୍ତାବିଜ ପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା BNS ଦଫା ୩୧୭(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଜରିମାନା ଏବଂ ଦଫା ୧୧୨(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଜରିମାନାରେ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡାଦେଶ ଏକକାଳୀନ ଭାବେ ଚାଲିବ । ଜରିମାନା ଅନାଦେୟ ହେଲେ, ପ୍ରତ୍ୟେକ ଜରିମାନା ବାବଦରେ ଅତିରିକ୍ତ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଅପରେସନ ‘ସାଇବର କବଚ’ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଥିଲା । ଏହି ଅଭିଯାନରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବା ‘ମ୍ୟୁଲ୍ ଆକାଉଣ୍ଟ’ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଏବଂ ମ୍ୟୁଲ୍ ଆକାଉଣ୍ଟ ଯୋଗାଇଦେଉଥିବା କିମ୍ବା ବ୍ୟବହାର କରୁଥିବା ସହଯୋଗୀମାନଙ୍କ ବିରୋଧରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।