ବେଙ୍ଗାଲୁରୁ: ବିଶ୍ୱର ଅନ୍ୟତମ ପ୍ରମୁଖ ମଦ ନିର୍ମାତା କମ୍ପାନୀ 'ଡିଆଜିଓ'ବିରୋଧରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଙ୍ଗାଲୁରୁସ୍ଥିତ କମ୍ପାନୀର ଏକ ଡିଷ୍ଟିଲରୀ ୟୁନିଟ୍ ଉପରେ ଚଢ଼ଉ କରି FSSAI ହଜାର ହଜାର ପେଟି ବିଦେଶୀ ମଦ ଜବତ କରିଛି। ପ୍ୟାକେଜିଂ ଏବଂ ପ୍ଲାଷ୍ଟିକ୍ ମାର୍କିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି।
କାହିଁକି ହେଲା ଏହି କାର୍ଯ୍ୟାନୁଷ୍ଠାନ ?
କମ୍ପାନୀ ପକ୍ଷରୁ ମଦ ବିକ୍ରି ପାଇଁ ବ୍ୟବହାର ହେଉଥିବା ୧୮୦ ଏମଏଲ୍ ଭଳି ଛୋଟ ପ୍ଲାଷ୍ଟିକ୍ ବୋତଲଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ 'ରିସାଇକ୍ଲଡ୍ ପେଟ୍ ସିମ୍ବଲ୍' ବ୍ୟବହାର କରାଯାଇ ନଥିଲା। ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ବ୍ୟବହୃତ ପ୍ଲାଷ୍ଟିକ୍ ଉପରେ ଆବଶ୍ୟକୀୟ ସୁରକ୍ଷା ମାର୍କିଂ ରହିବା ବାଧ୍ୟତାମୂଳକ ଥିଲେ ମଧ୍ୟ ଏହା ଅଣଦେଖା କରାଯାଇଥିଲା। ଏହି ଚଢ଼ଉରେ ପ୍ରାୟ ୧୮,୦୦୦ ପେଟି ମଦ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା (ପ୍ରାୟ ୧.୬ ମିଲିୟନ ଡଲାର) ହେବ।
କେଉଁ ବ୍ରାଣ୍ଡ୍ ଗୁଡ଼ିକ ଉପରେ ପଡ଼ିଛି ପ୍ରଭାବ ?
FSSAIର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଡିଆଜିଓ କମ୍ପାନୀର ପ୍ରସିଦ୍ଧ ବ୍ରାଣ୍ଡ୍ ଯଥା— 'ସ୍ମିର୍ନଫ୍' ଭୋଡକା, 'ଭ୍ୟାଟ୍ ୬୯' ସ୍କଚ୍ ହ୍ୱିସ୍କି ଏବଂ 'ଡିଏସ୍ପି ବ୍ଲାକ୍ ଡେଲକ୍ସ' ଭଳି ଜଣାଶୁଣା ମଦ ବ୍ରାଣ୍ଡ୍ଗୁଡ଼ିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେମାନେ ସମସ୍ତ ନିୟମକୁ ପାଳନ କରୁଛନ୍ତି ଏବଂ ଏହି ମାମଲାରେ FSSAI ସହ ଆଲୋଚନା ଜାରି ରହିଛି। କିନ୍ତୁ କ୍ରମଗତ ଭାବେ ଖାଦ୍ୟ ଓ ପାନୀୟ ନିୟମକଙ୍କ ଏପରି କଡ଼ା ପଦକ୍ଷେପ ଦେଶର ମଦ ବଜାରରେ ବଡ଼ଧରଣର ଚାଞ୍ଚଲ୍ୟ ସୃଷ୍ଟି କରିଛି।
Also Read: ବେନାମୀ ଆକାଉଣ୍ଟ କରି କରୁଥିଲେ ଲୁଟ୍, ଅଭିଯୁକ୍ତକୁ ୨ ବର୍ଷ ଜେଲ୍, ୨୦ ହଜାର ଟଙ୍କା ଜରିମାନା