ନୂଆଦିଲ୍ଲୀ: ନିଟ୍ ଏବଂ ଏନଟିଏ ପେପର ମାମଲାକୁ ନେଇ ଦେଶବ୍ୟାପୀ ଜାରି ବିବାଦ ଏବଂ ଅସନ୍ତୋଷ ଭିତରେ କେନ୍ଦ୍ର ସରକାର ଏକ ବଡ଼ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ କେନ୍ଦ୍ରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇଏଏସ ଅଧିକାରୀ ଦୀପ୍ତି ଗୌର ମୁଖାର୍ଜୀଙ୍କୁ ଦେଶର ନୂତନ ଉଚ୍ଚ ଶିକ୍ଷା ସଚିବ ଭାବେ ନିଯୁକ୍ତ କରାଯାଇଛି।
ଦୀପ୍ତି ଗୌର ମୁଖାର୍ଜୀ ହେଉଛନ୍ତି ୧୯୯୩ ବ୍ୟାଚ୍ର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ। ପ୍ରଶାସନିକ ମହଲରେ ତାଙ୍କୁ ଜଣେ କଠୋର ଏବଂ ଦକ୍ଷ ପ୍ରଶାସକ ଭାବେ ବେଶ୍ ଜଣାଶୁଣା। ପୂର୍ବରୁ ସେ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି। ଏହାସହ ମଧ୍ୟପ୍ରଦେଶ ସରକାରରେ ସେ ସ୍ୱାସ୍ଥ୍ୟ, ଉଚ୍ଚ ଶିକ୍ଷା ଓ ରାଜସ୍ୱ ପରି ଅନେକ ମହତ୍ୱପୂର୍ଣ୍ଣ ବିଭାଗରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି ।
ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଟାର୍ଗେଟ୍
ଦେଶରେ ଗତ କିଛି ଦିନ ହେବ NEET ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାକୁ ନେଇ ଯେପରି ଅନିୟମିତତା ଓ ପେପର ଲିକ୍ ଅଭିଯୋଗ ଆସିଥିଲା, ତାହା ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଥିଲା। ଏନଟିଏ ର କାର୍ଯ୍ୟଶୈଳୀକୁ ନେଇ ଛାତ୍ରସମାଜ ଏବଂ ବିରୋଧୀଙ୍କ ପକ୍ଷରୁ କ୍ରମାଗତ ପ୍ରଶ୍ନ ଉଠାଯାଉଥିଲା। ଏପରି ସ୍ଥିତିରେ ସରକାର ଶିକ୍ଷା ବିଭାଗର ଶୀର୍ଷ ସ୍ତରରେ ଏହି ବଡ଼ ଅଦଳବଦଳ କରି ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
Also Read: ‘ସାମ୍ବାଦିକ ହତ୍ୟା ମାମଲାରେ ରାମ ରହିମଙ୍କ ଦୋଷମୁକ୍ତି ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ’