ଚଣ୍ଡିଗଡ଼: ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ବେଶ୍ ସରଗରମ ହେବାରେଲାଗିଛି। ଜେଲରେ ଥିବା ଖାଡ଼ୁର ସାହିବର ସାଂସଦ ତଥା ଶିଖ୍ ଚରମପନ୍ଥୀ ନେତା ଅମୃତପାଲ ସିଂହଙ୍କ ଦଳ 'ୱାରିସ୍ ପଞ୍ଜାବ ଦେ' (ଅକାଳୀ ଦଳ) ପକ୍ଷରୁ ପ୍ରଥମ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିବା କେହର ସିଂହଙ୍କ ପୁଅ ସତବନ୍ତ ସିଂହଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି।
ସତବନ୍ତ ସିଂହ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଟନ୍ତି। ଅମୃତପାଲ ସିଂହଙ୍କ ପିତା ତରସେମ ସିଂହ ଏବଂ ଫରିଦକୋଟ ସାଂସଦ ସରବଜିତ୍ ସିଂହ ଖାଲସା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସତବନ୍ତ ମୁସ୍ତଫାବାଦ ଗାଁର ନିବାସୀ । ଏହା ତାଙ୍କର ପ୍ରଥମ ନିର୍ବାଚନ । ହେଲେ ଏହା ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ସମୟରେ ସେ ଫରିଦକୋଟରୁ ନିର୍ବାଚନ ଜିତିଥିବା ସରବଜତ ସିଂ ଖାଲସାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲ ।
୧୯୮୪ ଅକ୍ଟୋବର ୩୧ରେ ଘଟିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡ ଏବଂ ଏହାର ଷଡ଼ଯନ୍ତ୍ର ମାମଲାରେ କେହର ସିଂହଙ୍କୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇ ତିହାର ଜେଲରେ ଫାଶୀ ଦିଆଯାଇଥିଲା। ବର୍ତ୍ତମାନ ଅମୃତପାଲ ସିଂହଙ୍କ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ପରେ ପଞ୍ଜାବ ରାଜନୀତିରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଦଳର ଏଜେଣ୍ଡା କେବଳ କ୍ଷମତା ଦଖଲ ନୁହେଁ ବରଂ ପଞ୍ଜାବର ଅଧିକାର ଏବଂ ବଳିଦାନ ଦେଇଥିବା ପରିବାରଗୁଡ଼ିକର ସମ୍ମାନ ରକ୍ଷା କରିବା ବୋଲି ଦଳ ପକ୍ଷରୁ କୁହାଯାଇଛି।
Also Read: ନିଟ୍ ଏବଂ NTA ବିବାଦ ଭିତରେ ବଡ଼ ଅଦଳବଦଳ: ଦେଶର ନୂତନ ଉଚ୍ଚ ଶିକ୍ଷା ସଚିବ ହେଲେ ଆଇଏଏସ ଦୀପ୍ତି ଗୌର ମୁଖାର୍ଜୀ