ନୂଆଦିଲ୍ଲୀ: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ୨୦୨୭ ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ସିଧାସଳଖ ପ୍ରବେଶ କରି ପାରିନାହିଁ । ଲଗାତାର ତୃତୀୟ ଥର ଏହି ଦଳ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି । ଦୁଇ ଦୁଇ ଥର ବିଶ୍ୱକପ୍ ଜିତିଥିବା ଏହି ଦଳ ଗତ ଏକ ଦଶନ୍ଧି ଧରି ଦିନିକିଆରେ ଦୟନୀୟ ସ୍ଥିତିରେ ରହିଛି । ୨୦୧୯ରେ ଦଳ ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ବିଶ୍ୱକପ୍ ଖେଳି ପାରିଥିଲା । ଏବେ ବିଶ୍ୱକପ୍ରେ ସ୍ଥାନ ପାଇବା ପାଇଁ ଦଳକୁ ପୁଣିଥରେ କ୍ୱାଲିଫାୟାର୍ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିବ।
ଆଇସିସିର ନିୟମାନୁଯାୟୀ, ୨୦୨୭ ବିଶ୍ୱକପ୍ ପାଇଁ ଆୟୋଜକ ଦେଶ (ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ)ଙ୍କୁ ବାଦ ଦେଲେ ଆଇସିସି ଦିନିକିଆ ରାଙ୍କିଙ୍ଗ୍ର ଶ୍ରେଷ୍ଠ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଆଫଗାନିସ୍ତାନ ଦଳ ନିଜର ପ୍ରଦର୍ଶନ ବଳରେ ଏହି ସ୍ଥାନ ସୁନିଶ୍ଚିତ କରିନେଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ରାଙ୍କିଙ୍ଗ୍ରେ ୧୦ମ ସ୍ଥାନକୁ ଖସିଯାଇଛି। ଆଗାମୀ ସମୟରେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ବିପକ୍ଷରେ ସିରିଜ୍ ଖେଳିବାର ଥିଲେ ମଧ୍ୟ, ସେହି ମ୍ୟାଚ୍ଗୁଡ଼ିକର ଫଳାଫଳ ସିଧାସଳଖ ପ୍ରବେଶ ପାଇଁ ଯଥେଷ୍ଟ ହୋଇପାରିବ ନାହିଁ।
ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ପାଇଁ ଏହା କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱକପ୍କୁ ସିଧାସଳଖ ପ୍ରବେଶ ନକରି ପାରିବାର ନଜିର ସୃଷ୍ଟି କରିଛି। ଗତ ୨୦୨୩ ଦିନିକିଆ ବିଶ୍ୱକପ୍ରୁ ମଧ୍ୟ କ୍ୱାଲିଫାୟାର୍ ପର୍ଯ୍ୟାୟରେ ଖେଳିବାକୁ ବାଧ୍ୟ ହୋଇଥିଲା ଏବଂ ମୂଳ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ବର୍ତ୍ତମାନ ୨୦୨୭ ଫେବୃଆରୀ ମାସରେ ହେବାକୁଥିବା କ୍ୱାଲିଫାୟାର୍ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟକୁ ଟିକେଟ୍ ହାତେଇବା ହିଁ ୱେଷ୍ଟଇଣ୍ଡିଜ୍ ପାଖରେ ଏକମାତ୍ର ବିକଳ୍ପ ରହିଛି।
Also Read: ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଆରମ୍ଭ... ୧୩ ଜଣ ଆହତ ଖେଳାଳିଙ୍କ ଲମ୍ବା ଲିଷ୍ଟ୍ ଦେଖି ଚିନ୍ତାରେ BCCI