କୋଲମ୍ବୋ: ମହମ୍ମଦ ସିରାଜ ନିଜର ଘାତକ ବୋଲିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି, ମାତ୍ର କୋଲମ୍ବୋରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍ରେ ସେ ନିଜର ବ୍ୟାଟିଂ କମାଲ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୬ ରନ୍ ଆବଶ୍ୟକ ଥିବାବେଳେ ସିରାଜ କ୍ରମାଗତ ଛକା ମାରି ଦଳକୁ ଚମତ୍କାର ବିଜୟ ଭେଟି ଦେଇଛନ୍ତି। ତାଙ୍କର ଏଭଳି ବିଧ୍ୱଂସୀ ବ୍ୟାଟିଂ ଦେଖି ବିରୋଧୀ ଶ୍ରୀଲଙ୍କା ଦଳର ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ମ୍ୟାଚ୍ ପରେ ତାଙ୍କ ବ୍ୟାଟ୍ ଚେକ୍ କରିବାକୁ ଲାଗିଥିଲେ।
ଶ୍ରୀଲଙ୍କା ଇଲେଭେନ୍ ବିପକ୍ଷରେ କୋଲମ୍ବୋରେ ଖେଳାଯାଇଥିବା ତିନିଦିନିଆ ଅଭ୍ୟାସ ମ୍ୟାଚ୍ର ଶେଷ ଦିନରେ ଶ୍ରୀଲଙ୍କା ନିଜର ଦ୍ୱିତୀୟ ପାଳି ୨୦୦/୬ ସ୍କୋରରେ ଘୋଷଣା କରିଥିଲା। ପ୍ରଥମ ପାଳିରେ ୬ ରନ୍ରେ ପଛରେ ଥିବା ଭାରତୀୟ ଦଳକୁ ଜିତିବା ପାଇଁ ୨୦୭ ରନ୍ର ଲକ୍ଷ୍ୟ ମିଳିଥିଲା।
ଯଶସ୍ୱୀ ଜୈସୱାଲ ଏବଂ ଶୁଭମନ ଗିଲ୍ଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ବଳରେ ଭାରତୀୟ ଦଳ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ମାତ୍ର ଶେଷ ସମୟରେ ମ୍ୟାଚ୍ ରୋମାଞ୍ଚକର ହୋଇପଡ଼ିଥିଲା ଏବଂ ମ୍ୟାଚ୍ର ଫଳାଫଳ ଡ୍ରଆଡ଼କୁ ଯାଉଥିବା ଜଣାପଡ଼ୁଥିଲା। ଜିତିବା ପାଇଁ ଶେଷ ୧ ଓଭରରେ ୧୬ ରନ୍ ଆବଶ୍ୟକ ଥିବାବେଳେ ଅଧିନାୟକ ଓ ଅନ୍ୟ ଖେଳାଳିଙ୍କ ଆଶାକୁ ବଳକା କରି ମହମ୍ମଦ ସିରାଜ କ୍ରିଜ୍କୁ ଓହ୍ଲାଇଥିଲେ ଏବଂ ବ୍ୟାଟ୍ରେ କମାଲ କରିଦେଖାଇଥିଲେ।
ଦିନର ଶେଷ ଓଭରଟି ନୁୱାନ୍ତା ବୋଲିଂ କରିବାକୁ ଆସିଥିଲେ। ସିରାଜ ପ୍ରଥମ ବଲ୍ରେ କାଉ କର୍ଣ୍ଣର୍ ଓଭର୍ରେ ଏକ ଦମଦାର ଛକା ମାରିଥିଲେ। ଦ୍ୱିତୀୟ ବଲ୍ ଅଫ୍ଷ୍ଟମ୍ପ୍ ବାହାରେ ଫୁଲ୍ ଲେନ୍ଥରେ ଥିବାବେଳେ ସିରାଜ ସେଥିରେ ମଧ୍ୟ ଛକା ଜାଳିଥିଲେ। ଏହାପରେ ତୃତୀୟ ବଲ୍କୁ ମିଡ୍ୱିକେଟ୍ ଉପରେ ଏକ ବିଶାଳ ଛକା ମାରି ସିରାଜ ଭାରତକୁ ୬ ଓ୍ୱିକେଟ୍ରେ ଏକ ସ୍ମରଣୀୟ ବିଜୟ ଦେଇଥିଲେ।
ଶ୍ରୀଲଙ୍କା ଖେଳାଳିମାନେ ଚେକ୍ କଲେ ବ୍ୟାଟ୍
ମ୍ୟାଚ୍ ସରିବା ପରେ ଯେତେବେଳେ ମହମ୍ମଦ ସିରାଜ ଶ୍ରୀଲଙ୍କା ଖେଳାଳିମାନଙ୍କ ସହିତ ହାତ ମିଳାଉଥିଲେ, ସେତେବେଳେ ବିରୋଧୀ ଦଳର ଖେଳାଳିମାନେ ହସିହସି ସିରାଜଙ୍କ ବ୍ୟାଟ୍ ନେଇଯାଇଥିଲେ ଏବଂ ଏଥିରେ କିଛି ସ୍ୱତନ୍ତ୍ର ଜିନିଷ ଅଛି କି ନାହିଁ ବୋଲି ମଜାରେ ଯାଞ୍ଚ କରିବାକୁ ଲାଗିଥିଲେ। ଜଣେ ପ୍ରକୃତ ବ୍ୟାଟvଙ୍କ ପରି ସିରାଜ ଯେପରି ସଟ୍ ମାରିଲେ, ସେଥିରେ ଶ୍ରୀଲଙ୍କା ଖେଳାଳିମାନେ ବିଶ୍ୱାସ କରିପାରୁନଥିଲେ।
ଏହି ମ୍ୟାଚ୍ରେ ସିରାଜ ମାତ୍ର ୧୫ଟି ବଲ୍ରୁ ୪ଟି ଛକା ଏବଂ ୧ଟି ଚୌକା ସହାୟତାରେ ୩୨ ରନ୍ର ଏକ ଦମଦାର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଏହାପୂର୍ବରୁ ଦ୍ୱିତୀୟ ଦିନର ଶେଷ ଓଭରରେ ଗୁରୁନୁର ବରାର ମଧ୍ୟ ଏହିପରି ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ।