ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏବେ ଆଘାତ ସମସ୍ୟା ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ମୋଟ ୧୩ ଜଣ ପ୍ରମୁଖ ଭାରତୀୟ ଖେଳାଳି ଏବେ ଆହତ ହୋଇ ଟିମ୍ରୁ ଦୂରେଇ ରହିଛନ୍ତି। ଖେଳାଳିଙ୍କ ଏହି ବିଶାଳ ଇଞ୍ଜୁରି ଲିଷ୍ଟ୍ ଦେଖି ବିସିସିଆଇ ଏବଂ ଜାତୀୟ ଚୟନ କମିଟିର ଚିନ୍ତା ବଢ଼ିଯାଇଛି।
ଶ୍ରୀଲଙ୍କା ଗସ୍ତ ଆରମ୍ଭ ହୋଇନି ଅଧିନାୟକ ଶୁଭମନ ଗିଲ୍ ଆହତ ହେଲେ । ଯଶପ୍ରୀତ ବୁମରା-ହାର୍ଦ୍ଦିକ ପାଣ୍ଡ୍ୟା ସମେତ ୮ ଖେଳାଳି ସେଣ୍ଟର ଅଫ ଏକ୍ସିଲେନ୍ସରେ ଅଛନ୍ତି, ଯେଉଁମାନେ ଜାତୀୟ ଦଳର ପ୍ରମୁଖ ଖେଳାଳି । ଏହି ତାଲିକାରେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ, ସାଇ ସୁଦର୍ଶନ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ ଓ ଆକାଶଦୀପଙ୍କ ପରି ଖେଳାଳି ସାମିଲ୍ ।
ଏହି ସମସ୍ତ ଖେଳାଳିମାନେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍, ଆଇପିଏଲ୍ କିମ୍ବା ଅଭ୍ୟାସ ସମୟରେ ଗୁରୁତର ଆଘାତର ଶିକାର ହୋଇଛନ୍ତି। ବାରମ୍ବାର ଖେଳାଳିମାନେ ଆହତ ହେବା କାରଣରୁ ଆଗାମୀ ସିରିଜ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଉପଯୁକ୍ତ ଏବଂ ଫିଟ୍ ଖେଳାଳି ଚୟନ କରିବା କ୍ରିକେଟ୍ ବୋର୍ଡ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ବିସିସିଆଇର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଏବଂ ଜାତୀୟ କ୍ରିକେଟ୍ ଏକାଡେମୀ (NCA) ଏବେ ଏହି ଆହତ ଖେଳାଳିମାନଙ୍କର ରିହାବ୍ ଏବଂ ଫିଟନେସ୍ ଉପରେ କଡ଼ା ନଜର ରଖିଛନ୍ତି। ତେବେ ଖେଳାଳିମାନଙ୍କର ଏପରି ଲଗାତାର ଇଞ୍ଜୁରି ପଛରେ ଅଧିକ କ୍ରିକେଟ୍ ଖେଳିବା ଏବଂ କ୍ଲାନ୍ତତା ମୁଖ୍ୟ କାରଣ ବୋଲି କ୍ରିକେଟ୍ ବିଶ୍ୱଜ୍ଞମାନେ ମତ ଦେଇଛନ୍ତି।
ଆହତ ହୋଇଥିବା ୧୩ ଖେଳାଳି
ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ସାଇ ସୁଦର୍ଶନ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଆକାଶ ଦୀପ, ହିମାଂଶୁ ସିଂ, ଅଶୋକ ଶର୍ମା, ସୂୟଶ ଶର୍ମା, ଯୁଦ୍ଧବୀର ସିଂ, ରିୟାନ ପରାଗ ।