ନୂଆଦିଲ୍ଲୀ: ୨୦୨୬ ଫିଫା ବିଶ୍ୱକପ୍ ସମୟରେ ବିଶ୍ୱର ଦୁଇ ମହାନ ଫୁଟବଲର୍ ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ବିଶ୍ୱକପ ସମୟରେ ଉଭୟ ତାରକା ଖେଳାଳିଙ୍କୁ ଆକ୍ରମଣ କରିବା ପାଇଁ ଧମକ ଏବଂ ଷଡ଼ଯନ୍ତ୍ର କରାଯାଇଥିଲା।
ସ୍ପେନ ଗଣମାଧ୍ୟମ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ରିପୋର୍ଟ ମୁତାବକ, ୨୦୨୬ ବିଶ୍ୱକପ୍ ସମୟରେ ଆର୍ଜେଣ୍ଟିନାର କ୍ୟାପଟେନ୍ ଲିଓନେଲ ମେସି ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହୋଇଥିଲେ। ଏଫ୍ବିଆଇ ଏବଂ ବିଭିନ୍ନ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକର ମିଳିତ ସମନ୍ୱୟରେ ଏହି ଷଡ଼ଯନ୍ତ୍ରଗୁଡ଼ିକୁ ପଣ୍ଡ କରାଯାଇଥିଲା।
ଡଲାସ୍ରେ ଆର୍ଜେଣ୍ଟିନା ଏବଂ ଜୋର୍ଡାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଜଣେ ବ୍ୟକ୍ତି ବିମାନବନ୍ଦରକୁ ଫୋନ୍ କରି ଦାବି କରିଥିଲେ ଯେ, ସେ ଏବଂ ତାଙ୍କର ଦୁଇ ସାଥୀ ହାତତିଆରି ବୋମ୍ବ ଏବଂ ଏଆର୍-୧୫ ରାଇଫଲ୍ ଧରି ଷ୍ଟାଡିୟମ୍ ଆଡକୁ ଯାଉଛନ୍ତି। ଏହି ଧମକ ସିଧାସଳଖ ମେସି ଏବଂ ପୋଲିସ ଅଧିକାରୀଙ୍କୁ ଟାର୍ଗେଟ୍ କରି ଦିଆଯାଇଥିଲା।
ସେହିପରି ଆଟଲାଣ୍ଟାରେ ଇଜିପ୍ଟ ବିପକ୍ଷ ମ୍ୟାଚ୍ ପୂର୍ବରୁ 'X' ପ୍ଲାଟଫର୍ମରେ ଜଣେ ୟୁଜର୍ ପୋଷ୍ଟ କରିଥିଲେ ଯେ, ସେ ଶରୀରରେ ବୋମ୍ବ ବାନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବ ଏବଂ ମେସିଙ୍କୁ ଆକ୍ରମଣ କରିବ। ପରେ ପୋଲିସ ଷ୍ଟାଡିୟମର ବିଭିନ୍ନ ସ୍ଥାନରୁ ସନ୍ଦିଗ୍ଧ ବସ୍ତୁ ଖୋଜିବା ପାଇଁ ଡଗ୍ ସ୍କ୍ୱାଡ୍ ଏବଂ ବୋମ୍ବ ସ୍କ୍ୱାଡ୍ ନିୟୋଜିତ କରିଥିଲା।
କେବଳ ମେସି ନୁହଁନ୍ତି, ପର୍ତ୍ତୁଗାଲର ମହାନ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଟୁର୍ଣ୍ଣାମେଣ୍ଟ ସମୟରେ ହଇରାଣ ଓ ସୁରକ୍ଷା ଚିନ୍ତାର ସମ୍ମୁଖୀନ ହୋଇଥିଲେ। ଜୁନ୍ ୧୪ ତାରିଖରେ ଜଣେ ଫିଫା କର୍ମଚାରୀ ସନ୍ଦେହ କରିଥିଲେ ଯେ ଜଣେ ବ୍ୟକ୍ତି ରୋନାଲ୍ଡୋ ରହୁଥିବା ହୋଟେଲ ଏବଂ ତାଙ୍କ ଗତିବିଧି ସମ୍ପର୍କରେ କ୍ରମାଗତ ଭାବେ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ଘଟଣାରେ ତତ୍ପରତା ପ୍ରକାଶ କରି ହୁଷ୍ଟନ ପୋଲିସ ଜୁନ୍ ୧୬ ତାରିଖରେ ସେହି ବ୍ୟକ୍ତିଙ୍କୁ ପର୍ତ୍ତୁଗାଲ୍ ଟିମ୍ ରହୁଥିବା ହୋଟେଲ ନିକଟରୁ ଗିରଫ କରିଥିଲା।
ଏହି ରିପୋର୍ଟରୁ ଆହୁରି ଜଣାପଡିଛି ଯେ କେବଳ ଖେଳାଳି ନୁହଁନ୍ତି, ବରଂ ମ୍ୟାଚ୍ ପରିଚାଳନା କରୁଥିବା ଅଫିସିଆଲ୍ ଓ ରେଫରୀମାନେ ମଧ୍ୟ ଅନଲାଇନ୍ ଟ୍ରୋଲ୍ ଓ ଧମକର ଶିକାର ହୋଇଥିଲେ। ବିଶେଷ କରି ଫ୍ରାନ୍ସର ରେଫରୀ ଫ୍ରାଙ୍କୋଇସ୍ ଲେଟେକ୍ସିୟରଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ୬,୦୦୦ରୁ ଅଧିକ ଧମକପୂର୍ଣ୍ଣ ମେସେଜ୍ ପଠାଯାଇଥିଲା।