ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ରେ ସବୁକିଛି ଠିକ୍ ଚାଲି ନାହିଁ। କ୍ରିକେଟ୍ କରିଡରରୁ ଏଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ପରେ ଇଣ୍ଡିଆନ୍ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପଦବୀ ଏବଂ କାର୍ଯ୍ୟକାଳକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
କାହିଁକି ବଢୁଛି ଗମ୍ଭୀରଙ୍କ ଅଡ଼ୁଆ?
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ କିଛି ସମୟ ଭିତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଆଶାନୁରୂପକ ନହେବାରୁ ବିସିସିଆଇର ବରିଷ୍ଠ ଅଧିକାରୀମାନେ କୋଚ୍ଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ବିଶେଷକରି ବୋର୍ଡର କିଛି ପ୍ରମୁଖ କର୍ମକର୍ତ୍ତାଙ୍କ ମତ, ଦଳ ପରାଜୟର ସମ୍ମୁଖୀନ ହେଲେ କୋଚ୍ ଗୌତମ ଗମ୍ଭୀର ପ୍ରାୟଶଃ ଖେଳାଳି, ସପୋର୍ଟ ଷ୍ଟାଫ୍ କିମ୍ବା ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ମୁଣ୍ଡରେ ଦୋଷ ଲଦି ଦେଉଛନ୍ତି। ମ୍ୟାନେଜମେଣ୍ଟର ନିଜସ୍ୱ ନିଷ୍ପତ୍ତିର ଜବାବଦେହିରୁ ସେ ଦୂରେଇ ରହୁଥିବା ନେଇ ଅଭିଯୋଗ ହେଉଛି।
ଦଳ ଭିତରେ ଆଉ ଆଗଭଳି ସହଜ ସଂପର୍କ ରହି ନଥିବା ଏବଂ କିଛି ବରିଷ୍ଠ ଖେଳାଳି ମଧ୍ୟ ଅନୌପଚାରିକ ଭାବେ ବୋର୍ଡ ସଦସ୍ୟଙ୍କ ନିକଟରେ କୋଚ୍ଙ୍କ କ୍ଷମତା ଓ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୋଷ ଜାହିର୍ କରିଥିବା ଚର୍ଚ୍ଚା ହେଉଛି। ଆରମ୍ଭରେ ଗମ୍ଭୀରଙ୍କୁ ନିଜ ପସନ୍ଦର ସପୋର୍ଟ ଷ୍ଟାଫ୍ ବାଛିବାର ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ତାହା ଓଲଟା ପଡ଼ିଥିବା ଅନୁଭବ କରୁଛନ୍ତି କିଛି ବୋର୍ଡ ଅଧିକାରୀ।
ଆଗାମୀ ଶ୍ରୀଲଙ୍କା ଗସ୍ତ ହୋଇପାରେ 'ଟର୍ନିଂ ପଏଣ୍ଟ'
ବିଦେଶ ମାଟିରେ ଦଳର ନୈରାଜ୍ୟଜନକ ପ୍ରଦର୍ଶନ ପରେ, ଏବେ ଭାରତୀୟ ଦଳର ଆଗାମୀ ଶ୍ରୀଲଙ୍କା ଗସ୍ତ ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଯଦି ଏହି ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନରେ ସୁଧାର ନଆସେ, ତେବେ କୋଚ୍ ଚୌକି ଉପରେ ଆହୁରି ବଡ଼ ବିପଦ ମାଡ଼ିଆସିପାରେ ବୋଲି କ୍ରିକେଟ୍ ବିଶ୍ଳେଷକମାନେ ମତ ଦେଉଛନ୍ତି।