ନୂଆଦିଲ୍ଲୀ:ଅନେକ ସ୍ମରଣୀୟ ମୁହୂର୍ତ୍ତ ଏବଂ ଐତିହାସିକ ସଫଳତା ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡା (CWG) ୨୦୨୬ କୁ ବିଦାୟ ଦେଇଛି। ଚଳିତ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ମୋଟ ୩୯ଟି ମେଡାଲ୍ ନିଜ ନାମରେ କରିଛନ୍ତି। ଏଥିରେ ୧୩ଟି ସ୍ୱର୍ଣ୍ଣ, ୧୭ଟି ଏବଂ ୯ଟି କାଂସ୍ୟ ମେଡାଲ୍ ସାମିଲ ରହିଛି। ବିଶେଷକରି ଭାରତୀୟ ବକ୍ସରମାନେ ଇତିହାସ ରଚି ୭ଟି ସ୍ୱର୍ଣ୍ଣ ସମେତ ମୋଟ ୧୦ଟି ପଦକ ହାସଲ କରିଛନ୍ତି।
ପଦକ ସଂଖ୍ୟା କମିଲେ ମଧ୍ୟ ରହିଲା ଗୁରୁତ୍ୱପୂର୍ଣ୍ଣ ସଫଳତା
୨୦୨୨ ମ୍ୟାଞ୍ଚେଷ୍ଟର ଗେମ୍ସ ପରଠାରୁ ଭାରତ କ୍ରମାଗତ ଭାବେ ୫୦ ବା ତା'ଠାରୁ ଅଧିକ ମେଡାଲ୍ ଜିତି ଆସୁଥିଲା। ମାତ୍ର ଚଳିତଥର ଭାରତୀୟ ଆଥଲେଟ୍ମାନେ ୫୦ ପଦକର ଅଙ୍କକୁ ଛୁଇଁପାରି ନାହାଁନ୍ତି। ତଥାପି ପଦକର ସଂଖ୍ୟା ଏଠାରେ ବଡ଼ କଥା ନୁହେଁ, କାରଣ ଆଥଲେଟିକ୍ସଠାରୁ ଆରମ୍ଭ କରି ବକ୍ସିଂ ପର୍ଯ୍ୟନ୍ତ ଅନେକ ଭାରତୀୟ ଖେଳାଳି ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହାସହ ଚଳିତଥର ବିଭିନ୍ନ କାରଣରୁ କିଛି ପ୍ରମୁଖ ଖେଳକୁ ରାଜ୍ୟଗୋଷ୍ଠୀ କ୍ରୀଡା ତାଲିକାରୁ ବାଦ୍ ଦିଆଯାଇଥିଲା।
ଭାରତ ପାଇଁ କିଛି ଗୌରବମୟ ମୁହୂର୍ତ୍ତ
ପ୍ରଥମ ପଦକ: ପାରା ପାୱାରଲିଫ୍ଟିଂରେ ଝଣ୍ଡୁ କୁମାର ଦେଶ ପାଇଁ ପ୍ରଥମ ପଦକ ଭାବେ କାଂସ୍ୟ ଜିତିଥିଲେ।
ପ୍ରଥମ ସ୍ୱର୍ଣ୍ଣ: ଷ୍ଟାର୍ ଭାରୋତ୍ତୋଳକ ମୀରାବାଇ ଚାନୁ ସ୍ୱର୍ଣ୍ଣ ପଦକ ଜିତିବା ସହ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ଜୟର ହ୍ୟାଟ୍ରିକ୍ ପୂରା କରିଛନ୍ତି।
ଜୁଡୋରେ ଇତିହାସ: ଅସ୍ମିତା ଦେ ଭାରତର ପ୍ରଥମ ଜୁଡୋ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ବକ୍ସିଂରେ ଚମକ: ୨୨ ବର୍ଷ ବୟସ୍କ ଯାଦୁମଣି ସିଂହ ରୌପ୍ୟ ପଦକ ଜିତି ଭାରତୀୟ ବକ୍ସିଂର ଭବିଷ୍ୟତକୁ ନେଇ ନୂଆ ଆଶା ସଞ୍ଚାର କରିଛନ୍ତି।
ଆଥଲେଟିକ୍ସରେ ସର୍ବାଧିକ ମେଡାଲ୍
ଭାରତ ଆଥଲେଟିକ୍ସରେ ସର୍ବାଧିକ ୧୬ଟି ମେଡାଲ୍ ଜିତିଛି। ପ୍ରତିଯୋଗିତା ଯେତିକି ଆଗକୁ ବଢ଼ିଛି, ଭାରତର ପଦକ ସଂଖ୍ୟା ମଧ୍ୟ ସେତିକି ବଢ଼ି ଚାଲିଥିଲା। ବିଶେଷକରି ଅଗଷ୍ଟ ୧ ତାରିଖରେ ଭାରତୀୟ ଆଥଲେଟ୍ମାନେ ଦମଦାର ପ୍ରଦର୍ଶନ କରି ଗୋଟିଏ ଦିନରେ ଏକାଥରକେ ୧୬ଟି ପଦକ ନିଜ ନାମରେ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ।
କାହିଁକି କମିଗଲା କିଛି ଖେଳ?
ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ଏହି କ୍ରୀଡ଼ା ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବଜେଟ୍ ଅଧିକ (୬-୭ ବିଲିୟନ ଡଲାରରୁ ଅଧିକ) ହେବାରୁ ସେଠାକାର ସରକାର ୨୦୨୩ରେ ହାତ ଟେକି ଦେଇଥିଲେ। ପରେ ଗ୍ଲାସଗୋ ଶେଷ ମୁହୂର୍ତ୍ତରେ ଆୟୋଜନ ଦାୟିତ୍ୱ ନେଇଥିଲା। ସମୟ ଅଭାବ ଏବଂ ଭିତ୍ତିଭୂମିର ଅସୁବିଧା କାରଣରୁ କ୍ରିକେଟ୍, କୁସ୍ତି ଏବଂ ହକି ଭଳି କିଛି ପ୍ରମୁଖ ଖେଳକୁ ଏଥରର ତାଲିକାରୁ ହଟାଇ ଦିଆଯାଇଥିଲା।
କେଉଁ ଖେଳରେ କେତେ ମେଡାଲ୍?
ଆଥଲେଟିକ୍ସ: ୧୬ ମେଡାଲ୍ (୩ ସ୍ୱର୍ଣ୍ଣ, ୭ ରୌପ୍ୟ, ୬ କାଂସ୍ୟ)
ବକ୍ସିଂ: ୧୦ ମେଡାଲ୍ (୭ ସ୍ୱର୍ଣ୍ଣ, ୩ ରୌପ୍ୟ)
ଭାରୋତ୍ତୋଳନ : ୮ ମେଡାଲ୍ (୧ ସ୍ୱର୍ଣ୍ଣ, ୬ ରୌପ୍ୟ, ୧ କାଂସ୍ୟ)
ଜୁଡୋ: ୪ ମେଡାଲ୍ (୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ)
ପାରା ପାୱାରଲିଫ୍ଟିଂ: ୧ ମେଡାଲ୍ (୧ କାଂସ୍ୟ)